ରାଜ୍ୟରେ ପ୍ରଥମଥର ପାଇଁ ଆସିଲା ଏମିତି ଏକ ମେଶିନ, ଅଧିକ ଅମଳ ସହ ବଢ଼ିବ ଚାଷୀଙ୍କ ରୋଜଗାର

ଭଞ୍ଜନଗର,୩ା୯(ବାବୁଲା ପ୍ରଧାନ): ରାଜ୍ୟରେ ରାଶିର ଯେତିକି ଆବଶ୍ୟକତା ଅଛି ତା’ଠାରୁ କମ ଉତ୍ପାଦନ ହେଉଛି। ଚାଷୀମାନେ ଯେଉଁ ପାରମ୍ପରିକ ପଦ୍ଧତିରେ ରାଶି ଚାଷ କରୁଛନ୍ତି। ସେଥିରେ ଖର୍ଚ୍ଚ ଅଧିକ ହେଉଛି। ଲାଭ ବିଶେଷ ନାହିଁ। ତେଣୁ ରାଶି ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ କମୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ଜ୍ଞନକୌଶଳ ପ୍ରୟୋଗ କରି କମ ଖର୍ଚ୍ଚରେ ଅଧିକ ରାଶି ଫସଲ ଉତ୍ପାଦନ କିଭଳି ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ ଇକ୍ରିସାଟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କୃଷି ଓ କୃଷକ ସଶସ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଶି ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ହୋଇଛି। ଏନେଇ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ ଏକଘରିଆ ଗ୍ରାମରେ ମଙ୍ଗଳବାର କ୍ଷେତ୍ର ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୂର୍ବତନ ଡିନ୍‌ ତଥା ଇକ୍ରିସାଟର ପରାମର୍ଶଦାତା ଡ ସଂଗ୍ରାମ କେଶରୀ ସାଇଁ, ଗଞ୍ଜାମ ଜିଲା କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ, ଡ. ସିଦ୍ଧାର୍ଥ ରଣବିଜୁଳି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଜନା ସମ୍ପର୍କରେ ଚାଷୀଙ୍କୁ ବୁଝାଇଥିଲେ।

ରାଶି ଚାଷର ବିକାଶ, ବୃଦ୍ଧି ଓ ଚାଷୀମାନଙ୍କର ରୋଜଗାର ବୃଦ୍ଧି ନିମନ୍ତେ ନୂତନ ଜ୍ଞନକୌଶଳ ଚାଷୀଙ୍କୁ ସହାୟକ ହେବ। ବୈଜ୍ଞାନିକ ପଦ୍ଧତିରେ ଧାଡିକୁ ଧାଡ଼ି ୩୦ ସେମି ବ୍ୟବଧାନରେ ଏକର ପ୍ରତି ୨ କେଜି ବିହନ ବୁଣା ଯାଇପାରୁଛି। ଏହାର ବ୍ୟବହାର ଦ୍ୱାରା ଚାଷୀମାନେ ଉପକୃତ ହେବା ସହିତ କମ ଖର୍ଚ୍ଚରେ ଅଧିକ ଲାଭ ହେବ ବୋଲି ଚାଷୀମାନେ ମତ ବ୍ୟକ୍ତ କରିଥିଲେ।

ଚଳିତ ବର୍ଷ ଜଗନ୍ନାଥପ୍ରସାଦ ବ୍ଲକରେ ୨୦୦ ଚାଷୀଙ୍କୁ ନେଇ ୧୫୦ ଏକର ଜମିରେ ରାଶି ଚାଷ କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଚାଷୀଙ୍କ ରୋଜଗାର ବୃଦ୍ଧି ସହ ଅଣ ଧାନଫସଲ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିବେ। ଏହି କାର୍ଯ୍ୟକ୍ରମକୁ ମିଳିତ ଭାବରେ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର, ଓଡ଼ିଶା ସରକାର ଓ ଇକ୍ରିସାଟ ବୈଜ୍ଞାନିକମାନେ କରିଥିଲେ। ଓଡ଼ିଶାରେ ରାଶିଚାଷର ବ୍ୟାପକ କରାଯିବା ସହିତ ତୈଳବିଜର ଚାହିଦା ପୁରଣ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଜିଲାରେ ଏହାର ପ୍ରଥମଥର ପାଇଁ କ୍ଷେତ୍ର ପ୍ରଦର୍ଶନ ହୋଇଛି। ଆଗାମୀ ଦିନରେ ମାଲକାନଗିରି ଜିଲାରେ ଏହିଭଳି କ୍ଷେତ୍ର ପ୍ରଦର୍ଶନ କରାଯିବା ଯୋଜନା ଅଛି ବୋଲି ଡ. ସ୍ବାଇଁ ସୂଚନା ଦେଇଛନ୍ତି। ରାଶି ବିହନ ବୁଣିବା ଯନ୍ତ୍ର ସଫଳ ହୋଇଛି। ଆଗାମୀ ଦିନରେ ଅମଳ ଓ ରାଶି କାଟିବା ଯନ୍ତ୍ର ପରୀକ୍ଷା କରାଯିବ। ଏହି ମେଶିନ ବ୍ୟବହାର ଦ୍ୱାରା ଶ୍ରମିକ ଅଭାବ ସମସ୍ୟା ଦୂର ହେବ। ଏଥିସହ ଖର୍ଚ୍ଚ ମଧ୍ୟ କମ୍‌ ହେବ ବୋଲି ସ୍ବାଇଁ କହିଥିଲେ।