ଏ ମୋର ଶେଷ ଦୀପାବଳି…ଭାବପ୍ରବଣ କରିଦେବ ୨୧ ବର୍ଷୀୟ ଯୁବକଙ୍କ କାହାଣୀ

ନୂଆଦିଲ୍ଲୀ,୧୭।୧୦: ଜୀବନ ଅନିଶ୍ଚିତ। କେତେବେଳେ ଜୀବନ କେଉଁ ମୋଡ଼ ନେବ, ତାହା କହିବା ଅସମ୍ଭବ। କିନ୍ତୁ ବେଳେବେଳେ ପରିସ୍ଥିତି ଏମିତି ଆସେ, ଯାହାକୁ ବଦଳାଇବାକୁ ସତ ଚେଷ୍ଟା କଲେ ମଧ୍ୟ ହୁଏ ନାହିଁ। ଏମିତି କିଛି ପରିସ୍ଥିତି ଜଣେ ଯୁବକଙ୍କୁ ଭାଙ୍ଗିପକାଇଛି। ‘କ୍ୟାନ୍‌ସର ଜିତିଗଲା, ବନ୍ଧୁଗଣ, ପୁଣି ଦେଖା ହେବ…’ ଏହି କିଛି ଶବ୍ଦ ସହିତ ଜଣେ ୨୧ ବର୍ଷୀୟ ଯୁବକ Redditରେ ନିଜର ଯନ୍ତ୍ରଣା ପ୍ରକାଶ କରି ଲକ୍ଷ ଲକ୍ଷ ଲୋକଙ୍କ ଆଖିରେ ଲୁହ ଆଣିଦେଇଛନ୍ତି। ଚତୁର୍ଥ ପର୍ଯ୍ୟାୟ କୋଲୋରେକ୍ଟ୍ରଲ କ୍ୟାନ୍‌ସର ସହିତ ଲଢ଼ୁଥିବା ଏହି ରୋଗୀଙ୍କ ଭାବପ୍ରବଣ ପୋଷ୍ଟଟି ଭାଇରାଲ ହେଉଛି। ଏବେ ତାଙ୍କ ଡାକ୍ତର ମଧ୍ୟ ହାର ମାନିଛନ୍ତି ଏବଂ ଏହା ତାଙ୍କର ଶେଷ ଦୀପାବଳି।

Redditର ‘TwentiesIndia’ ଗ୍ରୁପରେ ଶେୟାର କରାଯାଇଥିବା ତାଙ୍କ ପୋଷ୍ଟରେ, ଯୁବକ ଜଣକ ଲେଖିଛନ୍ତି ଯେ, ତାଙ୍କୁ ୨୦୨୩ରେ ଚତୁର୍ଥ ପର୍ଯ୍ୟାୟ କୋଲୋରେକ୍ଟ୍ରଲ କ୍ୟାନ୍‌ସର ରୋଗ ନିର୍ଣ୍ଣୟ କରାଯାଇଥିଲା। ଅନେକ କେମୋଥେରାପି ସେସନ ଏବଂ ଦୀର୍ଘ ହସ୍ପିଟାଲରେ ରହିବା ପରେ, ଡାକ୍ତରମାନେ ଘୋଷଣା କରିଛନ୍ତି, ଆଉ କୌଣସି ଚିକିତ୍ସା ବାକି ନାହିଁ। ମୁଁ ହୁଏତ ଏହି ବର୍ଷର ଶେଷ ପର୍ଯ୍ୟନ୍ତ ବଞ୍ଚି ନ ପାରେ।

ଯୁବକ ଜଣକ ଦୀପାବଳି ବିଷୟରେ ଯାହା ଲେଖିଛନ୍ତି ତାହା ହୃଦୟ ବିଦାରକ। ସେ ଲେଖିଛନ୍ତି, ହୁଏତ ଏହା ଶେଷ ଥର ପାଇଁ ମୁଁ ଦୀପାବଳିର ଆଲୋକ ଦେଖିବି। ମୁଁ ଆଲୋକ, ଆନନ୍ଦ ଏବଂ ଶବ୍ଦକୁ ମିସ କରିବି। ଏହା ଅଦ୍ଭୁତ, ନୁହେଁ କି? ଜୀବନ ଆଗକୁ ବଢ଼ୁଛି, ଏବଂ ମୋର ଜୀବନ ଧୀରେ ଧୀରେ ମଳିନ ହେଉଛି। ଆସନ୍ତା ବର୍ଷ, ମୋ ସ୍ଥାନରେ କେହି ଜଣେ ଦୀପ ଜାଳିବେ ଏବଂ ମୁଁ କେବଳ ଏକ ସ୍ମୃତି ହୋଇ ରହିବି।

ତାଙ୍କ ପୋଷ୍ଟରେ ଯୁବକ ଜଣକ ଏପରି ଇଚ୍ଛା ମଧ୍ୟ ଉଲ୍ଲେଖ କରିଥିଲେ ଯାହା କେବେ ପୂରଣ ହୋଇପାରିବ ନାହିଁ। ସେ ଲେଖିଛନ୍ତି, ମୁଁ ସାରା ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିଲି। ମୁଁ ମୋର ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲି। ମୁଁ ଏକ କୁକୁରକୁ ପୋଷ୍ୟ ଗ୍ରହଣ କରିବାକୁ ଚାହୁଁଥିଲି। କିନ୍ତୁ ଏବେ ଏଗୁଡ଼ିକ କେବଳ ସ୍ବପ୍ନ। ଯେତେବେଳେ ମୁଁ କୌଣସି ସ୍ବପ୍ନ ମନେ ପକାଏ, ମୁଁ ଭାବୁଥାଏ ଯେ ମୋର କେତେ ସମୟ ବାକି ଅଛି।ସ୍‌

ଯୁବକ ଜଣକ ଆହୁରି ଲେଖିଛନ୍ତି, ମୁଁ ମୋ ବାପାମାଙ୍କୁ ଭାଙ୍ଗି ପଡ଼ିବା ଦେଖି ସହ୍ୟ କରିପାରୁନାହିଁ। ମୁଁ ଜାଣିନାହିଁ ମୁଁ ଏସବୁ କାହିଁକି ଲେଖୁଛି। ହୁଏତ ଏହା ଏହି ଦୁନିଆକୁ ବିଦାୟ ଦେବା ପୂର୍ବରୁ କିଛି ଛାପ ଛାଡ଼ିବା ପାଇଁ, ମୋର ଅସ୍ତିତ୍ୱ ଅଛି ବୋଲି ଦେଖାଇବା ପାଇଁ।

ଏହି ଭାବପ୍ରବଣ ପୋଷ୍ଟ ଭାଇରାଲ ହେବା ମାତ୍ରେ, ସୋସିଆଲ ମିଡିଆରେ ପ୍ରାର୍ଥନାର ସୁଅ ଛୁଟିଛି। ସମସ୍ତେ ଯୁବକଙ୍କ ପାଇଁ ହୃଦୟରୁ ପ୍ରାର୍ଥନା କରୁଛନ୍ତି।

 

Dharitri – Odisha’s No.1 Odia Daily