ଏମିତି କାମ କରୁଥିଲେ ବରିଷ୍ଠ ସହାୟକ, ଅଚାନକ ପହଞ୍ଚିଗଲେ ଜିଲାପାଳ, ଆଉ ତା’ପରେ…

ସୋନପୁର,୧୬।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ କାଲୁ ମିର୍ଦ୍ଧାଙ୍କୁ ଜିଲାପାଳ ଡ. ନୃପରାଜ ସାହୁ ଗୁରୁବାର ନିଲମ୍ବନ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥାପନା ଶାଖାରେ ନିୟମିତ ଅଫିସ ସମୟରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି। ସୂଚନା ଅନୁଯାୟୀ ପୂର୍ବାହ୍ନରେ ଜିଲାପାଳ ଡ. ସାହୁ ଅଚାନକ ଜଳ ବିଭାଜିକା ପିଡିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଫିସ ବୁଲିବା ସମୟରେ ବରିଷ୍ଠ କିରାଣୀ ମିର୍ଦ୍ଧା ଟେବୁଲ ଉପରେ ଦୁଇ ଗୋଡ ରଖି ଚୌକିରେ ବସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଜିଲାପାଳ ତତ୍‌କ୍ଷଣାତ ତାଙ୍କୁ ନିଲମ୍ବନ ଆଦେଶ ପ୍ରଦାନ କରିଥିଲେ। ମିର୍ଦ୍ଧାଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଥିଲା। ସେ ନିଜର ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରୁ ନ ଥିଲେ। କାର୍ଯ୍ୟାନୁଷ୍ଠାନ ପରେ ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା ଜିଲାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଜିଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ବାଗତ କରାଯାଇଛି।

Dharitri – The Largest & Most Trusted Odia Daily

Share
Tags: odisha