କୋଲକାତା,୧୩ା୧୨: ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଶନିବାର ଭାରତ ଆସିଛନ୍ତି। କୋଲକାତା ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ହେୟାତ ରେଜେନ୍ସିଠାରେ ସକାଳ ୯ଟା ୩୦ରେ ଏକ ମିଟ୍ ଆଣ୍ଡ ଗ୍ରୀଟ୍ ଇଭେଣ୍ଟରେ ପ୍ରଥମେ ପ୍ରଶଂସକଙ୍କୁ ଭେଟିବେ। ମାତ୍ର ଏହି ଗସ୍ତ ଆୟୋଜନ କରୁଥିବା ‘ଜିଓଏଟି ଇଣ୍ଡିଆ ଟୁର ୨୦୨୫’ ପକ୍ଷରୁ ମେସିଙ୍କ ସହ ଥରେ ହାତ ମିଳାଇବା ଓ ଗୋଟିଏ ଫଟୋ ଉଠାଇବା ପାଇଁ ୧୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ତେବେ ତାଙ୍କର ଏହି ଗସ୍ତରେ ମେସି ପ୍ରତିଦ୍ୱନ୍ଦ୍ୱିତାମୂଳକ ଫୁଟବଲ ଖେଳିବେ ନାହିଁ। ୧୪ ବର୍ଷର ବ୍ୟବଧାନ ପରେ ମେସି ଭାରତ ଆସିଛନ୍ତି। ଶେଷ ଥର ୨୦୧୧ରେ ସେ ଭାରତ ଗସ୍ତରେ ଆସି ୮୫ ହଜାର ଦର୍ଶକଙ୍କ ମଧ୍ୟରେ ସଲ୍ଟ ଲେକ ଷ୍ଟାଡିୟମରେ ଆର୍ଜେଣ୍ଟିନା ପାଇଁ ଭେନେଜୁଏଲା ବିପକ୍ଷ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଥିଲେ।
ଆରମ୍ଭ ହେଉଥିବା ତାଙ୍କର ଗସ୍ତ ସମ୍ପୂର୍ଣ୍ଣ ପ୍ରଚାର ଓ ବ୍ୟବସାୟଭିତ୍ତିକ ହେବ। ସେ ଭାରତରେ ୭୨ ଘଣ୍ଟା ବିତାଇବେ। କିନ୍ତୁ ମୁଖ୍ୟତଃ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଆଦି ୪ ମେଟ୍ରୋ ସହରରେ ମୁଖ୍ୟମନ୍ତ୍ରୀ, ପ୍ରତିଷ୍ଠିତ କର୍ପୋରେଟ, ବଲିଉଡ୍ ସେଲିବ୍ରିଟି ଏବଂ ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଭର୍ଚୁଆଲ ଜରିଆରେ କୋଲକାତାର ସାଉଥ ଦମ୍ ଦମ୍ରେ ଲେକ୍ ଟାଉନଠାରେ ତାଙ୍କର ୭୦ ଫୁଟ ଉଚ୍ଚତା ବିଶିଷ୍ଟ ଲୁହାର ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିବେ। ଭାରତର ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ ଜଣେ ମେସିଙ୍କର ବଡ଼ ପ୍ରଶଂସକ ଏବଂ ସେ ଆସନ୍ତା ୧୪ ତାରିଖରେ ଧର୍ମଶାଳାରେ ମେସିଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।