ମୁଲତାନ,୨୧।୧: ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମୁଲତାନରେ ଖେଳାଯାଇଥିଲା। ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୧୨୭ ରନ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ସତ୍ତ୍ୱେ, ୱେଷ୍ଟଇଣ୍ଡିଜ ଏକ ବିଶ୍ୱ ରେକର୍ଡ ହାସଲ କରିଥିଲା। ଦଳର ବୋଲରମାନେ ବ୍ୟାଟରେ ଚମତ୍କାର ପ୍ରଦର୍ଶନ କରି ଟେଷ୍ଟ କ୍ରିକେଟର ୧୪୮ ବର୍ଷର ଇତିହାସକୁ ବଦଳାଇ ଦେଇଥିଲେ।
କ୍ରିକେଟ ଇତିହାସରେ ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ ଖେଳାଯାଇଥିଲା ଏବଂ ସେବେଠାରୁ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ବୋଲରମାନେ ବ୍ୟାଟ ସହିତ ଏପରି ସଫଳତା ହାସଲ କରିଥିଲେ। ଶେଷ ତିନି ଜଣ ବ୍ୟାଟସମ୍ୟାନ ପ୍ରଥମ ଇନିଂସରେ ଦଳ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ। ୯ ନମ୍ବରରେ ବ୍ୟାଟିଂ କରୁଥିବା ଗୁଡକେଶ ମୋତି ୧୯ ରନ, ଜୋମେଲ ୱାରିକାନ ୩୧* (ଦଳ ପାଇଁ ଏକ ଇନିଂସରେ ସର୍ବାଧିକ ରନ) ଏବଂ ୧୧ ନମ୍ବରରେ ବ୍ୟାଟିଂ କରୁଥିବା ଜାଡେନ ସିଲ୍ସ ୨୨ ରନ କରିଥିଲେ।
ଏହି ରନ ସହିତ, କୌଣସି ଦଳର ଶେଷ ତିନି ଜଣ ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ରନ ସ୍କୋରର୍ ହୋଇଗଲେ। ଦଳର ଶେଷ ତିନି ଜଣ ବ୍ୟାଟସମ୍ୟାନଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୧୧ ରନରୁ ଅଧିକ ସ୍କୋର କରିପାରି ନ ଥିଲେ। ପ୍ରଥମ ଇନିଂସରେ, ୱେଷ୍ଟଇଣ୍ଡିଜ ୬୬ ରନରେ ୮ ଉଇକେଟ ହରାଇଥିଲା। କିନ୍ତୁ, ଗୁଡକେଶ, ୱାରିକାନ ଏବଂ ସିଲ୍ସଙ୍କ ଇନିଂସ ସହାୟତାରେ, ଦଳ ୧୩୭ ରନ ସ୍କୋର କରିଥିଲା।
ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ରନ କରିଥିବା ତିନି ଜଣ ବ୍ୟାଟସମ୍ୟାନ ଦ୍ୱିତୀୟ ଇନିଂସରେ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ।
ଉଲ୍ଲେଖନୀୟ ଯେ, ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ପାକିସ୍ତାନ ୧୨୭ ରନରେ ଜିତି ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୨୫ରୁ ଖେଳାଯିବ।