୩୦୦ ବର୍ଷ ଧରି ଔରଙ୍ଗଜେବଙ୍କ କବର ରକ୍ଷଣାବେକ୍ଷଣ କରିଆସୁଛି ଏହି ପରିବାର…ଜାଣନ୍ତୁ କେତେ ମିଳୁଛି ଟଙ୍କା?

ମୁମ୍ବାଇ,୧୬।୩: ରାଜନୈତିକ ବୟାନବାଜିକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ଔରଙ୍ଗଜେବଙ୍କ ନାମ। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ନେଇ ବିବାଦ ଉପୁଜିଛି। କୁହାଯାଏ ଔରଙ୍ଗଜେବ ମହାରାଜ ସମ୍ଭାଜୀଙ୍କୁ ବହୁତ ନିର୍ଯାତନା ଦେବା ପରେ ହତ୍ୟା କରିଥିଲେ। ତେଣୁ ଏପରି ବ୍ୟକ୍ତିଙ୍କ କବର ରହିବା ଉଚିତ ନୁହେଁ ବୋଲି କହି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବାର ଘୋଷଣା ମଧ୍ୟ କରାଯାଇଛି। ଅପରପକ୍ଷେ ଏଭଳି ଏକ ପରିବାର ଅଛି ଯିଏ କି ବର୍ଷ ବର୍ଷ ଧରି ଔରଙ୍ଗଜେବଙ୍କ ସମାଧିର ଯତ୍ନ ନେଇ ଆସୁଛନ୍ତି।

ମହାରାଷ୍ଟ୍ରର ଔରଙ୍ଗାବାଦର ଖୁଲଦାବାଦ ସହରରେ ଅବସ୍ଥିତ ଔରଙ୍ଗଜେବଙ୍କ ସମାଧିସ୍ଥଳର ଯତ୍ନ ଗତ ୩୦୦ ବର୍ଷ ଧରି ଏକ ପରିବାର ନେଇଆସୁଛି। ସେହି ପରିବାରର ପରଭେଜ ଅହମ୍ମଦ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ସେମାନେ ପରିବାରର ଚାକର। ସେ ପିଢ଼ି ପରେ ପିଢ଼ି ଧରି କବରର ରକ୍ଷଣାବେକ୍ଷଣର ସମସ୍ତ କାର୍ଯ୍ୟ ଦେଖାଶୁଣା କରିଆସୁଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ତାଙ୍କୁ କୌଣସି ସରକାରୀ ଦରମା କିମ୍ବା ଭତ୍ତା ମିଳେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାରକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର କିମ୍ବା ୱାକଫରୁ ଭରଣପୋଷଣ ପାଇଁ କୌଣସି ଟଙ୍କା ମିଳେ ନାହିଁ। ଏତେ ବର୍ଷ ମଧ୍ୟରେ ଏଠାରେ ରହୁଥିବା ଲୋକମାନଙ୍କୁ କେହି ଏଠାରେ ରହିବା ଉଚିତ ନୁହେଁ ବୋଲି କହିବାକୁ ଆସିନାହାନ୍ତି। ଏହି ଅଞ୍ଚଳରେ ସବୁବେଳେ ଶାନ୍ତି ବଜାୟ ରହିଛି। ପର୍ବପର୍ବାଣୀରେ ଏଠାରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ, ଯେଉଁଥିରେ ଲୋକଙ୍କ ଭିଡ଼ ଜମିଥାଏ।

ପରଭେଜ ଅହମ୍ମଦ କହିଛନ୍ତି ଯେ ଏଠାକୁ ଆସୁଥିବା ପରିଦର୍ଶକଙ୍କ ସଂଖ୍ୟା ବହୁତ କମ। ଲୋକମାନେ ଏଠାକୁ କେବଳ ଅଜନ୍ତା ଏଲୋରା ଗୁମ୍ଫା ଦେଖିବାକୁ ଆସନ୍ତି। ସେହି ପର୍ଯ୍ୟଟକମାନଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ ଆସନ୍ତି। ଆଉ କେହି ଆସନ୍ତି ନାହିଁ। ଗୋଟିଏ ପଟେ ଏହି ପରିବାର ୩୦୦ ବର୍ଷ ଧରି କବରର ଯତ୍ନ ନେଉଛନ୍ତି। ଅନ୍ୟପକ୍ଷରେ ଏବେ ଔରଙ୍ଗଜେବଙ୍କ ସମାଧି ନଷ୍ଟ କରିବା ନେଇ ଆଲୋଚନା ହେଉଛି। ତେବେ ମୃତ୍ୟୁ ପରେ ଔରଙ୍ଗଜେବଙ୍କୁ ସମ୍ଭାଜୀନଗରର ଖୁଲଦାବାଦରେ କବର ଦିଆଯାଇଥିଲା।

Share