ମାତ୍ର ୨୧ ମିନିଟ୍‌ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…

ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍‌ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ଏହି ସଫଳତା ଇଂଲଣ୍ଡ ଅଲରାଉଣ୍ଡର ଗ୍ଲେନ ଚାପେଲ ହାସଲ କରିଥିଲେ। ଚାପେଲ ୧୯୯୩ରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହା ୩୨ ବର୍ଷ ପରେ ମଧ୍ୟ ଅତୁଟ ରହିଛି।

ଲାଙ୍କାଶାୟାର ପାଇଁ ଖେଳୁଥିବା ଚାପେଲ ୧୫ ଜୁଲାଇ ୧୯୯୩ରେ ଗ୍ଲାମୋର୍ଗାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ଲାଙ୍କାଶାୟାର ଦ୍ୱିତୀୟ ଇନିଂସରେ ଚାପେଲଙ୍କୁ ଇନିଂସ ଓପନ କରିବାକୁ ପଠାଇଥିଲା। କ୍ରିଜ୍‌ରେ ପାଦ ଦେବା ମାତ୍ରେ ସେ ବୋଲରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଚାପେଲ ମାତ୍ର ୨୧ ମିନିଟ ଏବଂ ୨୭ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ। ଏହି ଇନିଂସରେ ସେ ୧୦ ଚୌକା ଏବଂ ୯ ଛକା ମାରିଥିଲେ। ସମୟ ଦୃଷ୍ଟିରୁ, ଏହା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ଶତକ।
ପୂର୍ବରୁ, ଏହି ସଫଳତା ଅଷ୍ଟ୍ରେଲିଆର ଟମ ମୁଡି ହାସଲ କରିଥିଲେ। ୧୯୯୦ ମସିହାରେ ୱାରୱିକଶାୟାର ବିପକ୍ଷରେ ଗ୍ଲାମୋର୍ଗାନ ପାଇଁ ଖେଳୁଥିବା ମୁଡି ମାତ୍ର ୨୬ ମିନିଟରେ ଶତକ ହାସଲ କରିଥିଲେ। ଚାପେଲ ମୁଡିଙ୍କ ରେକର୍ଡ ଭାଙ୍ଗି ନୂତନ ଇତିହାସ ସୃଷ୍ଟି କରିଥିଲେ।
ଲାଙ୍କାଶାୟାର ପ୍ରଥମ ଇନିଂସରେ ୩୧୦ ରନ କରିଥିଲା। ଜବାବରେ, ଗ୍ଲାମୋର୍ଗାନ ୩୦୩ ରନରେ ସେମାନଙ୍କର ଇନିଂସ ଘୋଷଣା କରିଥିଲା, ଯାହା ଲାଙ୍କାଶାୟାରକୁ ମାତ୍ର ୭ ରନର ଲିଡ ଦେଇଥିଲା। ଚାପେଲଙ୍କ ବିସ୍ଫୋରକ ଇନିଂସ ପରେ ଲାଙ୍କାଶାୟାର ମାତ୍ର ୧୨ ଓଭରରେ ୨୩୫ ରନ କରିବା ପରେ ସେମାନଙ୍କର ଇନିଂସ ଘୋଷଣା କରିଥିଲା। ଗ୍ଲାମୋର୍ଗାନ ବିଜୟ ପାଇଁ ୨୪୩ ରନ ଆବଶ୍ୟକ କରିଥିଲା, ଯାହାକୁ ସେମାନେ ମାତ୍ର ୫୨.୧ ଓଭରରେ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ୩ ଉଇକେଟ ହରାଇଥିଲେ। ଚାପେଲଙ୍କ ଧମାକାଦାର ଶତକ ଦଳକୁ ସାହାଯ୍ୟ କରି ନ ଥିଲା, କିନ୍ତୁ ଏହି ଇନିଂସ କ୍ରିକେଟ ଇତିହାସରେ ଚିରକାଳ ପାଇଁ ଲିପିବଦ୍ଧ ହୋଇ ରହିଛି।

ଗ୍ଲେନ ଚାପେଲଙ୍କ ଘରୋଇ କ୍ୟାରିଅର୍‌ ଏକ ଚମତ୍କାର ଥିଲା, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଭାଗ୍ୟ ତାଙ୍କ ପକ୍ଷରେ ନ ଥିଲା। ୨୦୦୬ ମସିହାରେ ସେ ଇଂଲଣ୍ଡ ପାଇଁ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ, କିନ୍ତୁ ସେହି ମ୍ୟାଚରେ ଆହତ ହୋଇଥିଲେ। ମାତ୍ର ଚାରି ଓଭର ବୋଲିଂ କରିବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା ଏବଂ ସେ ଆଉ କେବେ ଇଂଲଣ୍ଡ ଜର୍ସି ପିନ୍ଧିବାର ସୁଯୋଗ ପାଇଲେ ନାହିଁ।

ଚାପେଲଙ୍କ ରେକର୍ଡ ୩୨ ବର୍ଷ ପରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଆଜିର ଦ୍ରୁତ ଗତିର କ୍ରିକେଟ ଏବଂ ଟି-୨୦ ଯୁଗରେ ମଧ୍ୟ, କୌଣସି ଖେଳାଳି ଏତେ କମ ସମୟ ମଧ୍ୟରେ ଶତକ ହାସଲ କରିନାହାଁନ୍ତି। ଏହି କାରଣରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ଇନିଂସ କୌଣସି କିମ୍ବଦନ୍ତୀଠାରୁ କମ ନୁହେଁ।