ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା ଦେଖାଯାଇଥିଲା ଏବଂ ଏହାକୁ ସେ ତଳେ ଆଦୌ ରଖୁ ନଥିଲେ। ମ୍ୟାନ୍‌ ଅଫ ଦି ମ୍ୟାଚ ଏଡେନ ମାର୍କ୍ରାମ ଏପରି କିଛି କରିଥି୍ଳେ ଯାହା ଆଲୋଚନାର ବିଷୟ ପାଲଟିଛି।

ବିଜୟ ପରେ ୍‌ଆଫ୍ରିକୀୟ ଖେଳାଳି ଏଡେନ ମାର୍କ୍ରାମ ଗ୍ୟାଲେରୀରେ ପହଞ୍ଚି ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କଠାରୁ ବିୟର ବୋତଲ ନେଇ ପିଇବା ଆରମ୍ଭ କରିଥିଲେ। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଦେଖିଥିଲେ ଏବଂ କିଛି ସମୟ ମଧ୍ୟରେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ଜଣେ କ୍ରିକେଟର୍‌ ପଡ଼ିଆରେ କିମ୍ବା ମ୍ୟାଚ ସମୟରେ ମଦ୍ୟପାନ କରିପାରିବେ କି? ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇପାରିବ କି?

WTC ଫାଇନାଲ ପରେ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ପଚରାଯିବାରୁ ମାର୍କମ କହିଥିଲେ,ସେହି ବ୍ୟକ୍ତି ମୋର ସ୍କୁଲ ବନ୍ଧୁ ଥିଲେ। ସେ ମୋତେ ଡାକିଥିଲେ, କିନ୍ତୁ ବହୁତ ଶବ୍ଦ ହୋଇଥିଲା। ତା’ପରେ ସେ ମୋତେ ତାଙ୍କ ପାଖକୁ ଡାକି ବିୟର ଦେଖାଇଲେ। ମୁଁ ଭାବିଲି, କିଛି ଚିନ୍ତା ନାହିଁ, ଏହା କେବଳ ବିୟର, ତେଣୁ ମୁଁ ଗୋଟିଏ କିମ୍ବା ଦୁଇଟି ସିପ ପିଇଲି। ଏହା ସେହି ଦିନର ମୋର ପ୍ରଥମ ବିୟର ଥିଲା ଏବଂ ମୁଁ ଭବିଷ୍ୟତରେ ଆହୁରି ପିଇବାକୁ ଆଶା କରୁଛି।

ICC ଖେଳାଳିମାନଙ୍କ ବୃତ୍ତିଗତ ଆଚରଣ ସମ୍ପର୍କରେ ଏକ ଆଚରଣ ସଂହିତା ପ୍ରସ୍ତୁତ କରିଛି, ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଖେଳ ସମୟରେ ଯେକୌଣସି ପ୍ରକାରର ନିଶା କଡ଼ା ନିଷେଧ। ତଥାପି, ICC ଦ୍ୱାରା ବିୟର ଭଳି ମଦ୍ୟପାନ ଉପରେ କୌଣସି ସିଧାସଳଖ ପ୍ରତିବନ୍ଧକ ନାହିଁ। ଖେଳାଳି ମ୍ୟାଚ ପରେ ଏହାକୁ ସେବନ କରନ୍ତି।

ICC ର ଡୋପିଂ ବିରୋଧୀ ନୀତି କହେ ଯେ, ଖେଳ ସମୟରେ ଖେଳାଳିମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ଉଚିତ, କିନ୍ତୁ ବିୟର ଭଳି ପାନୀୟ ବିଶ୍ୱ ଡୋପିଂ ବିରୋଧୀ ଏଜେନ୍ସି (WADA) କ୍ରିକେଟ ପାଇଁ ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ, ସେଗୁଡ଼ିକ କେବଳ କିଛି ଖେଳରେ (ଯେପରିକି ଦୌଡ଼) ନିଷେଧ।

ପ୍ରତ୍ୟେକ ଦେଶ ଏବଂ ପରିସ୍ଥିତି ଅନୁସାରେ ICC ନିୟମ ଭିନ୍ନ। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରେ, ଷ୍ଟାଡିୟମରେ ମଦ୍ୟପାନ ଏବଂ ବିକ୍ରୟ କଡ଼ାକଡ଼ି ନିଷେଧ। ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ, ଦର୍ଶକଙ୍କ ଉପରେ ଏପରି କୌଣସି ପ୍ରତିବନ୍ଧକ ନାହିଁ। ଦର୍ଶକଙ୍କୁ ଏକ ସୀମା ପର୍ଯ୍ୟନ୍ତ ବିୟର ପିଇବାକୁ ଅନୁମତି ଦିଆଯାଇଛି, କିନ୍ତୁ ICC ଖେଳ ସମୟରେ ଖେଳାଳିମାନଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦିଏ ନାହିଁ। ଯଦି କୌଣସି ଖେଳାଳି ପଡ଼ିଆ, ଡ୍ରେସିଂ ରୁମ କିମ୍ବା ଡଗ ଆଉଟରେ ବିୟର ପିଉଥିବା ଦେଖାଯାଏ, ତେବେ ତାଙ୍କୁ ଚେତାବନୀ, ଜରିମାନା କିମ୍ବା ନିଲମ୍ବନ ସହିତ ଦଣ୍ଡିତ କରାଯାଇପାରିବ।