ମୁଣ୍ଡରେ ବଲ୍‌ ବାଜି ଏହି କ୍ରିକେଟର୍‌ଙ୍କ ଚାଲିଗଲା ଜୀବନ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ମେଲବୋର୍ଣ୍ଣ,୩୦।୧୦: ଅଷ୍ଟ୍ରେଲିଆରୁ ଏକ ହୃଦୟବିଦାରକ ଖବର ଆସିଛି। ମେଲବୋର୍ଣ୍ଣରେ ଅଭ୍ୟାସ ସମୟରେ ମୁଣ୍ଡରେ ବଲ ବାଜିବାରୁ ୧୭ ବର୍ଷୀୟ କ୍ରିକେଟର ବେନ ଅଷ୍ଟିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର କ୍ରିକେଟ ଜଗତକୁ ଚକିତ କରିଛି।

ବେନ ମେଲବୋର୍ଣ୍ଣର ଫର୍ନଟ୍ରି ଗଲିର ଭ୍ୟାଲି ଟିଉ ରିଜର୍ଭ ଗ୍ରାଉଣ୍ଡରେ ନେଟ୍ସରେ ଅଭ୍ୟାସ କରୁଥିଲେ। ରିପୋର୍ଟ ଅନୁଯାୟୀ, ସେ ଏକ ସୁରକ୍ଷାମୂଳକ ହେଲମେଟ ପିନ୍ଧି ଏକ ବୋଲିଂ ମେଶିନ ସାମ୍ନାରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ସେତେବେଳେ ଏକ ଦ୍ରୁତ ଗତିର ବଲ ତାଙ୍କ ମୁଣ୍ଡ ଏବଂ ବେକ ମଧ୍ୟରେ ବାଜିଲା। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ମୋନାସ ମେଡିକାଲ ସେଣ୍ଟରକୁ ପଠାଯାଇଥିଲା। ସେଠାରେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ।

ବେନଙ୍କ କ୍ଲବ, ଫର୍ନଟ୍ରି ଗଲି କ୍ରିକେଟ କ୍ଲବ, ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବିବୃତ୍ତି ଜାରି କରି ଲେଖିଛନ୍ତି, ଆମର ଉଦୀୟମାନ ତାରକା ବେନ ଅଷ୍ଟିନଙ୍କ ଦେହାନ୍ତରେ ଆମେ ଗଭୀର ଦୁଃଖିତ। ତାଙ୍କ ବିୟୋଗ ଆମର ସମଗ୍ର କ୍ରିକେଟ ପରିବାରକୁ ପ୍ରଭାବିତ କରିବ। ତାଙ୍କ ପରିବାର ସହିତ ଆମର ସମବେଦନା।

ବେନ କେବଳ ଜଣେ ଚମତ୍କାର କ୍ରିକେଟର ନ ଥିଲେ, ବରଂ ଜଣେ ପ୍ରିୟ ନେତା ଏବଂ ଦଳର ଭଲ ଖେଳାଳି ମଧ୍ୟ ଥିଲେ। ସେ ମୁଲଗ୍ରେଭ ଏବଂ ଏଲଡନ ପାର୍କ କ୍ରିକେଟ କ୍ଲବର ସଦସ୍ୟ ଥିଲେ। ସେ ୱେଭର୍ଲି ପାର୍କ ହକ୍ସ ପାଇଁ ମଧ୍ୟ ଜୁନିଅର ଫୁଟବଲ ଖେଳିଥିଲେ। ବେନ ଜଣେ ପ୍ରତିଭାଶାଳୀ ଏବଂ ଅତ୍ୟନ୍ତ ଲୋକପ୍ରିୟ ଖେଳାଳି ଥିଲେ। ତାଙ୍କ ପରି କ୍ରିକେଟର୍‌ ବିରଳ।

ଏହି ଘଟଣା କ୍ରିକେଟ ପ୍ରଶଂସକମାନଙ୍କୁ ୨୦୧୪ ମସିହାରେ ଘଟିଥିବା ଦୁଃଖଦ ଘଟଣାର ମନେ ପକାଇ ଦେଇଥିଲା। ୨୦୧୪ରେ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ ଫିଲିପ ହ୍ୟୁଗ୍ସଙ୍କୁ ମଧ୍ୟ ଏକ ମ୍ୟାଚ ସମୟରେ ବେକରେ ଆଘାତ ଲାଗିଥିଲା। ତାଙ୍କର ମଧ୍ୟ କିଛି ଦିନ ପରେ ମୃତ୍ୟୁ ହୋଇଥିଲା। ହ୍ୟୁଗ୍ସଙ୍କ ଘଟଣା ପରେ, କ୍ରିକେଟ୍‌ରେ ଆଘାତ ଏବଂ ସୁରକ୍ଷା ଗିଅର୍‌ ସମ୍ପର୍କରେ ଅନେକ ନୂତନ ନିୟମ ଲାଗୁ କରାଯାଇଥିଲା।

 

Dharitri – Odisha’s No.1 Odia Daily