ବେଜିଂ,୩ା୯: ଚାଇନାର ତିଆଞ୍ଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସ୍ତ୍ରୀ ଓ୍ବାନ ଅଜିଜା ଓ୍ବାନ ଇସମାଇଲ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଜିନ୍ପିଙ୍ଗ SCO ଶିଖର ସମ୍ମିଳନୀର ସଦସ୍ୟ ଦେଶଗୁଡ଼ିକର ସର୍ବୋଚ୍ଚ ନେତାମାନଙ୍କୁ ସ୍ବାଗତ କରୁଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ହାତ ମିଳାଇବାକୁ ମନା କରିଥିଲେ।
ପ୍ରକୃତରେ ଜିନ୍ପିଙ୍ଗ ଏବଂ ତାଙ୍କ ସ୍ତ୍ରୀ ପେଙ୍ଗ ଲିୟୁଆନ ମାଲେସିଆର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ସ୍ବାଗତ କରୁଥିଲେ। ଏହି ସମୟରେ ଜିନ୍ପିଙ୍ଗ ଅନଓ୍ବର ଇବ୍ରାହିମଙ୍କ ସହ ହାତ ମିଳାଇ ତାଙ୍କ ସ୍ତ୍ରୀଙ୍କ ଆଡ଼କୁ ହାତ ବଢ଼ାଇଥିଲେ, କିନ୍ତୁ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଓ୍ବାନ୍ ଅଜିଜା ହାତ ମିଳାଇବାକୁ ମନା କରିଥିଲେ। ସେ ତାଙ୍କ ହାତ ଯୋଡ଼ି ନମସ୍ତେ କହିଲେ ଏବଂ ସମ୍ମାନାର୍ଥେ ମୁଣ୍ଡ ନୁଆଇଁଲେ। ଜିନ୍ପିଙ୍ଗ ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ ନ ଥିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଓ୍ବାନ ଅଜିଜା କିନ୍ତୁ ଜିନ୍ପିଙ୍ଗଙ୍କ ପତ୍ନୀଙ୍କ ସହ ହାତ ମିଳାଇଥିଲେ।
ଜିନ୍ପିଙ୍ଗଙ୍କ ସହ ହାତ ମିଳାଇବା ପାଇଁ କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ। ତଥାପି ଏହାର କୌଣସି ମାଲେସିଆନ ପରମ୍ପରା କିମ୍ବା ଧାର୍ମିକ କାରଣ ଥାଇପାରେ। ଅଜିଜା ମାଲେସିଆର ଜଣେ ବରିଷ୍ଠ ରାଜନେତା। ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ମାଲେସିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।
ମାଲେସିଆ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ଯଦିଓ କିଛି ପାର୍ଥକ୍ୟ ରହିଛି ତଥାପି ଆର୍ଥିକ ଏବଂ ରାଜନୈତିକ ସ୍ତରରେ ସହଯୋଗ ନିରନ୍ତର ଦେଖାଯାଇଛି। ଚାଇନା ମଧ୍ୟ ଏପର୍ଯ୍ୟନ୍ତ ମାଲେସିଆର ଏକ ପ୍ରମୁଖ ବାଣିଜି୍ୟକ ଅଂଶୀଦାର ହୋଇଆସିଛି। ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବାଣିଜ୍ୟ ହୋଇଛି। ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ, ତେଲ ଏବଂ ଗ୍ୟାସ ତାଲିକାରେ ଅନ୍ତର୍ଭୁକ୍ତ।