Categories: Home Leftଖେଳ

ଟେଷ୍ଟ ପଦାର୍ପଣରେ ଦ୍ୱିଶତକ ହାସଲ କରିଥିଲେ ଏହି ୫ ବ୍ୟାଟ୍ସମ୍ୟାନ

ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିବା ସବୁ ଖେଳାଳିଙ୍କ ସ୍ବପ୍ନ ରହିଥାଏ। ଯଦି କୌଣସି କ୍ରିକେଟର୍‌ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରନ୍ତି ତେବେ ଏହା ତାଙ୍କ ଲାଗି ବେଶ୍‌ ସ୍ବତନ୍ତ୍ର ହୋଇଥାଏ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଏମିତି ୫ ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ କି ପଦାର୍ପଣ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିବାର ବିରଳ ସୌଭାଗ୍ୟ ଲାଭ କରିଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟିପ୍‌ ଫଷ୍ଟର ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ୧୯୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଫଷ୍ଟର ୨୮୭ ରନର ମାରାଥନ ଇନିଂସ ଖେଳିଥିଲେ। ଯାହା ୧୧୭ ବର୍ଷ ଧରି ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇରହିଛି। ପଦାର୍ପଣ ଟେଷ୍ଟରେ ସର୍ବାଧିକ ସ୍କୋର କରିବାର ଅଧିକାରୀ ରହିଛନ୍ତି ଫଷ୍ଟର। ଫଷ୍ଟର ମାତ୍ର ୮ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଥିଲେ। ଯେଉଁଥିରେ ସେ ୪୨ ଆଭରେଜରେ ୬୦୨ ରନ କରିଥିଲେ। ଫଷ୍ଟର ମଧ୍ୟ ଏକମାତ୍ର ଖେଳାଳିଭାବେ ଇଂଲଣ୍ଡ ଫୁଟ୍‌ବଲ ଓ କ୍ରିକେଟ୍‌ ଦଳର ନେତୃତ୍ୱ ନେଇବାର ସୌଭାଗ୍ୟ ଲାଭ କରିଥିଲେ। ମାତ୍ର ୩୬ ବର୍ଷ ବୟସରେ ଫଷ୍ଟର ପ୍ରାଣ ହରାଇଥିଲେ।


ଲରେନ୍ସ ରୋଏ ମଧ୍ୟ ପଦାର୍ପଣ ଟେଷ୍ଟରେ ଦ୍ୱିଶତକ ଅର୍ଜନ କରିଥିଲେ। କ୍ରିକେଟ୍‌ ଇତିହାସରେ ୨ୟ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ପାଇଥିଲେ। ୧୯୭୨ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୨୧୪ ରନ କରିଥିଲେ। ସେହିଭଳି ଶ୍ରୀଲଙ୍କାର ବ୍ରେଣ୍ଡନ କୁରୁପ୍ପୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ପଦାର୍ପଣ ମ୍ୟାଚ୍‌ରେ ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ୧୯୮୭ରେ କଲମ୍ବୋରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍‌ରେ କୁରୁପ୍ପୁ ୨୦୧ ରନ କରିଥିଲେ। ସେ ଶ୍ରୀଲଙ୍କା ପକ୍ଷରୁ ମଧ୍ୟ ମାତ୍ର ୫୪ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।
ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ମାଥ୍ୟୁ ସିନକ୍ଲେୟାର। ସିନ୍‌କ୍ଲେୟାର ନ୍ୟୁଜିଲାଣ୍ଡ ପକ୍ଷରୁ ୩୩ ଟେଷ୍ଟ ଓ ୪୪ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୧୯୯୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ସେ ୨୧୪ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ ରୁଡଲଫ୍‌ ୨୦୦୩ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ୨୨୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ବିଶ୍ୱର ୫ମ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ଲାଭ କରିଥିଲେ।