ଝରକା ଗ୍ରିଲ ତାଡି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ବାସୁଦେବପୁର,୨୪।୯ (କାଳି ପଦ ରାୟ): ବାସୁଦେବପୁର ନୟାକନିଡ଼ିହି ଥାନା ଅଧୀନ ବାଲିମେଦ ପଂଚାୟତର ଦୟାନିଧିପୁର ଗ୍ରାମର ସନ୍ତୋଷ ନାୟକଙ୍କ ଘରୁ ମଙ୍ଗଳବାର ବିଳମ୍ବିତରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ ଓ କବାଟ ଭାଙ୍ଗି, ପଲଙ୍କ ଡ୍ରରେ ଥିବା ସୁନା ଚେନ ୩ଟା, ସୁନା ଚୁଡି, କାନଫୁଲ ୨ ହଳ, ଲକେଟ ଗୋଟିଏ, ମୁଦି ୪ଟା, ପାଉଁଜି ୨ ହଳ ନେଇଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ସନ୍ତୋଷଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ପୁଅ ଝିଅ ଅନ୍ୟ ଏକ କୋଠରୀରେ ଶୋଇଥିଲେ, ଭୋର ସମୟରେ ଲକ୍ଷ୍ମୀପ୍ରିୟା ଶୌଚ ହେବାକୁ ଉଠିଥିବାବେଳେ ଝରକା ଗ୍ରିଲ ଭଙ୍ଗା ଯାଇ ସୁନା ଗହଣା ଚୋରି ହୋଇଥିବାର ଦେଖି ସ୍ବାମୀଙ୍କୁ ଖବର ଦେଇଥିଲେ। ବୁଧବାର ସକାଳେ ସନ୍ତୋଷ ନୟାକନିଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନୟାକନିଡ଼ିହି ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ, ଏଏସଆଇ ଅନିଲ ସେଠି ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।