ବିଲରେ କାମ କରୁଥିଲେ, ହଠାତ୍‌ ପଶିଆସିଲା ଭାଲୁ: ଚିତ୍କାର କରିବାରୁ…

ବୁଗୁଡ଼ା,୧୩।୯(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ନିକଟବର୍ତ୍ତୀ କିରିଆମ୍ବା ଗ୍ରାମର ଜଣେ ଯୁବ ଚାଷୀଙ୍କୁ ଭାଲୁ ଆକ୍ରମଣ କରିଛି। ଅମିନ ନାୟକ(୩୨) ନାମକ ଏହି ଚାଷୀ ଜଣଙ୍କ ଭାଲୁ ଆକ୍ରମଣର ଶିକାର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଶନିବାର ସକାଳେ ଅମିନ ବିଲରେ କାମ କରୁଥିବାବେଳେ ହଠାତ୍‌ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ସେ ଚିତ୍କାର କରିବାରୁ ଖଣ୍ଡେ ଦୂରରେ ଥିବା ଅନ୍ୟ ଲୋକମାନେ ସେଆଡକୁ ଦୌଡିଥିଲାବେଳେ ଭାଲୁଟି ବହୁ ଲୋକଙ୍କୁ ଦେଖି ସେଠାରୁ ଜଙ୍ଗଲ ଆଡକୁ ପଳାଇ ଯାଇଥିଲା। ଭାଲୁ ଆକ୍ରମଣରେ ଅମିନର ଦୁଇ ହାତ ଓ ଡାହାଣ ଗୋଡରେ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ତେବେ ମେଡିକାଲରେ ଚିକିତ୍ସା ପରେ ଆହତ ଅମିନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।