ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କୁ SIR ନୋଟିସ୍, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୧: ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଦେଶର ସୁରକ୍ଷା ପାଇଁ ଅନେକ ବର୍ଷ ସେବା କରିବା ପରେ ଏବେ ତାଙ୍କୁ ନିଜର ନାଗରିକତ୍ବ ପ୍ରମାଣ ଦେବାକୁ ନୋଟିସ୍ ମିଳିଛି।

ନୋଟିସ୍ ଆଡମିରାଲ ଅରୁଣ ନିର୍ବାଚନ କମିଶନଙ୍କ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ଜାରି ହୋଇଥିବା ଫର୍ମରେ ତ୍ରୁଟି ଥିବା ଦର୍ଶାଇ ସେ ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ନିର୍ବାଚନ କମିଶନ ଆଡମିରାଲ ପ୍ରକାଶଙ୍କୁ ନିଜର ପରିଚୟ ପ୍ରମାଣ କରିବା ପାଇଁ ଏକ ବୈଠକରେ ହାଜର ହେବାକୁ ନୋଟିସ୍ ଦେଇଥିଲେ। ନୋଟିସ ପାଇବା ପରେ ଆଡମିରାଲ ସୋସିଆଲ ମିଡିଆ ମାଧ୍ୟମରେ ସେ କହିଛନ୍ତି ଯେ, ଯଦି SIR ଫର୍ମ ଜନସାଧାରଣଙ୍କ ସୂଚନା ସଠିକ ଭାବେ ଗ୍ରହଣ କରିପାରୁନାହିଁ, ତେବେ ଏହାର ପୁନର୍ବିଚାର ହେବା ଉଚିତ।

୮୨ ବର୍ଷୀୟ ଆଡମିରାଲ ଓ ତାଙ୍କ ୭୮ ବର୍ଷୀୟା ପତ୍ନୀଙ୍କୁ ଦୁଇଟି ଅଲଗା ତାରିଖରେ ନିଜ ଘରଠାରୁ ୧୮ କିଲୋମିଟର ଦୂରକୁ ଆସିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ ଯେ ବୁଥ୍ ସ୍ତରୀୟ ଅଧିକାରୀ (BLO) ପୂର୍ବରୁ ତିନିଥର ତାଙ୍କ ଘର ପରିଦର୍ଶନ କରିସାରିଛନ୍ତି।

ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ନିର୍ବାଚନ କମିଶନଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ। କେହି କେହି ଅଧିକାରୀଙ୍କୁ ତାଙ୍କ ଘରକୁ ପଠାଇବାକୁ ପରାମର୍ଶ ଦେଇଥିବା ବେଳେ ଆଡମିରାଲ ପ୍ରକାଶ ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଛନ୍ତି ଯେ ସେ କୌଣସି “ସ୍ୱତନ୍ତ୍ର ସୁବିଧା” ଚାହାଁନ୍ତି ନାହିଁ ଏବଂ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସମସ୍ତ ନୋଟିସର ପାଳନ କରିବେ।

ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ନାମ ଯୋଡ଼ିବା ଏବଂ ମୃତ ବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଜୁନ୍ ୨୦୨୫ରୁ ଏହି ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ଆରମ୍ଭ ହୋଇଛି। ଦ୍ରୁତ ନଗରୀକରଣ ଏବଂ ସ୍ଥାନାନ୍ତରଣ ଯୋଗୁଁ ଭୋଟର ତାଲିକାରେ ଦେଖାଦେଉଥିବା ତ୍ରୁଟିକୁ ସୁଧାରିବା ଏହାର ମୂଳ ଲକ୍ଷ୍ୟ।

Share