ବର୍ଷକରେ ଅଢ଼େଇ କୋଟି ଲିଟର ଦେଶୀମଦ ପିଇଛନ୍ତି

ଭବାନୀପାଟଣା,୩୦ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଜିଲାର ସହର ସମେତ ଅଧିକାଂଶ ଗାଁରେ ଏବେ ମଦକୋଠି ଛତୁ ଫୁଟିଲା ଭଳି ଖୋଲିଛି। ଅନେକ ନିରୀହ ଗରିବ ଲୋକ ମଦ ନିଶାରେ ପଡ଼ି ଦିଗହରା ହେବା ସହ ସର୍ବସ୍ବାନ୍ତ ହେଉଛନ୍ତି। ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରିବା ପରେ ମଧ୍ୟ ବେଆଇନ ମଦ କାରବାର କମିବା ବଦଳରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ଅପରାଧ ବଢ଼ିବା ସହ ପରିବେଶ ଖରାପ ହେବାରେ ଲାଗିଛି, ଯାହା ଚିନ୍ତାର ବିଷୟ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାରେ ଏବେ ୬୭ଟି ଦେଶୀ ମଦଭାଟି ରହିଥିବାବେଳେ ୧୦ଟି ଶାଖା ରହିଛି। ଏହିସବୁ ମଦଭାଟି ଓ ଶାଖାଗୁଡିକରେ ୨୦୨୩-୨୪ ଆର୍ଥିକ ବର୍ଷରେ ୨କୋଟି ୪୯ ଲକ୍ଷ ୪୦୪୦ଲିଟର ଦେଶୀ ମଦ ବିକ୍ରି ହୋଇଛି। ସେହିପରି ୨୦୨୪-୨୫ ବର୍ଷରେ ଅଢ଼େଇ କୋଟି ୪୧ହଜାର ଶହେ ଲିଟର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହି ପରିସଂଖ୍ୟାନ ଦେଖିଲେ ଗତବର୍ଷ ଅପେକ୍ଷା ୧ଲକ୍ଷ ୩୭ହଜାର ୬୦ ଲିଟର ମଦ ଅଧିକ ବିକ୍ରି ହୋଇଛି। ସରକାରୀ ହିସାବରେ ଏହା ଅଢ଼େଇ କୋଟି ଲିଟର ହୋଇଥିବାବେଳେ ବେସରକାରୀ ହିସାବରେ ଏହା ୪ଗୁଣରୁ ଅଧିକ ହେବ ବୋଲି କୁହାଯାଉଛି। ାରେ ଚଳିତ ବର୍ଷ ରାଜସ୍ବ ଟାର୍ଗେଟ ୭୪କୋଟି ୭୮ଲକ୍ଷ ଥିବାବେଳେ ୮୯ କୋଟି ୯୦ଲକ୍ଷ ଟଙ୍କା ସଂଗ୍ରହ ହୋଇଛି, ଯାହା ୧୫କୋଟିରୁ ଅଧିକ। ସେହିପରି ଜିଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଦେଶୀ ମଦ ୧୩ଲକ୍ଷ ୭୭ହଜାର ୫୦୩ ଏଲ୍‌ପିଏଲ୍‌ ବିକ୍ରି ହୋଇଥିବାବେଳେ ବିଅର ୬୬ଲକ୍ଷ ୪ହଜାର ୮୬୩ ବିଏଲ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦେଶୀ ମଦ ୧୨ଲକ୍ଷ ୬୬ହଜାର ୫୮୯ ଏଲ୍‌ପିଏଲ୍‌ ରହିଥିବାବେଳେ ବିଅର ୫୮ଲକ୍ଷ ୨୮ହଜାର ୪୧୮ ବିଏଲ୍‌ ରହିଥିଲା। ଏହିସବୁ ତଥ୍ୟକୁ ଦେଖିଲେ କଳାହାଣ୍ଡି ଜିଲାରେ ଉଭୟ ଦେଶୀ ଓ ବିଦେଶୀ ମଦ କାରବାର ଗତବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ଏ ନେଇ ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ ବେଆଇନ ମଦ କାରବାର ରୋକିବାକୁ ପ୍ରାୟ ସମୟରେ ଚଢ଼ାଉ କରାଯାଉଛି ବୋଲି କହିଥିଲେ।