ମଣ୍ଡିରୁ ଉଠୁନି ଧାନ: ରାସ୍ତା ଅବରୋଧ କଲେ ଚାଷୀ

ଭେଡେନ,୨୫।୬(ହୃଷିକେଶ ଖମାରୀ): ଆଉ ୪ଦିନ ପରେ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢମାସ ପୂରିବ । ହେଲେ ଏପର୍ଯ୍ୟନ୍ତ ଜିଲାର ଚାଷୀମାନଙ୍କ ଧାନ ବିକ୍ରି ସରିନାହିଁ । ଅନ୍ୟପକ୍ଷରେ ବର୍ଷା ଆରମ୍ଭ ହୋଇଯାଇ ଥିବାବେଳେ ଖରିଫ ଚାଷ କାର୍ଯ୍ୟ ସମୟ ଗଡି ଚାଲିଛି। ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡି ରହିଛି। କେତେକ ସ୍ଥାନରେ ଧାନ ଗଜା ମଧ୍ୟ ହୋଇଗଲାଣି। ଏହାସତ୍ତ୍ବେ ଧାନ ଉଠାଣ ତ୍ୱରାନ୍ବିତ ହୋଇ ପାରିନାହିଁ। ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଲାପାଲି ମଣ୍ଡିରେ ଏଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ବୁଧବାର ପୂର୍ବାହ୍ନ ୧୦ଟାରୁ ଅଞ୍ଚଳର ଚାଷୀମାନେ ସଂଗଠିତ ହୋଇ ଧାନ ବୋଝେଇ ଟ୍ରାକ୍ଟର ରଖି ଖୁଣ୍ଟଲିପାଲି ଧାନମଣ୍ଡି ସମ୍ମୁଖରେ ଗୋଡଭଗା-ସୋନପୁର ରାସ୍ତା ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଯାତାୟତ ଠପ୍‌ ପଡିଛି। ରାସ୍ତାର ଉଭୟ ପାଶର୍‌ବରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି ।

Share