ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି ଏବଂ ଖଣ୍ଡାରେ ହାଣି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଘରେ ଥିବା ନଗଦ ଟଙ୍କା। ଲୋଧଣୀ ଗାଁର ପ୍ରସନ୍ନ ସାହୁଙ୍କ ପରିବାର ଲୋକେ ଖାଇ ପିଇ ଶୋଇଥିବା ବେଳେ ଦୁଇ ଜଣ ଡକାୟତ ଘରେ ପଶିଥିଲେ। ପ୍ରସନ୍ନଙ୍କୁ ଘର ଭିତରେ ତାଲା ପକାଇ ସ୍ତ୍ରୀ ମାଣିକ ଏବଂ ଝିଅ ଈଶ୍ବରୀଙ୍କୁ ମାଡ଼ ମାରିବା ସହ ଆକ୍ରମଣ କରିଥିଲେ ଦୁର୍ବୁତ୍ତ। ଘରେ ଥିବା ସମସ୍ତ ସୁନା ଅଳଙ୍କାର ଏବଂ ଟଙ୍କାକୁ ଧରି ଚମ୍ପଟ ମାରିଥିଲେ। ଏଥିସହିତ ଘରେ ଥିବା ଆଲଣାକୁ ପ୍ରାୟ ଶହେ ମିଟର ଦୂରକୁ ଟେକି ନେଇ ଲୁଟ କରିଥିଲେ। ଗୁରୁତର ଅବସ୍ଥାରେ ମାଣିକ ଓ ଈଶ୍ବରୀଙ୍କୁ ପ୍ରଥମେ ପରଜଙ୍ଗ ଏବଂ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସେପଟେ ଲୋଧଣୀ ଗାଁରେ ଲୁଲୁ ସାହୁଙ୍କ ଘରେ ମଧ୍ୟ ଦୁର୍ବୁତ୍ତ ମାନେ ପଶି ଲୁଟ୍ କରିଛନ୍ତି। ଘରେ ନଥିବାର ସୁଯୋଗ ନେଇ ତାଙ୍କ ନିଜ ଭାଇଙ୍କ ପରିବାର ଲୋକଙ୍କୁ ପ୍ରଥମେ ତାଲା ଠୁଙ୍କିଲେ। ଏବଂ ପରେ ଘର କବାଟ ଓ ଆଲମାରୀ ଭାଙ୍ଗି ଦୁର୍ବୁତ୍ତମାନେ ସବୁ କିଛି ଲୁଟି ନେଇଛନ୍ତି। ଯାହାକୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି ପରଜଙ୍ଗ ପୋଲିସ।
Dharitri – Odisha’s No.1 Odia Daily