IPL 2025 ପାଇଁ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରିଲେ ଏହିସବୁ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୩: ୧୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ତାର ଦଳ ଘୋଷଣା କରିଛି। ଦଳର କମାଣ୍ଡ ମାଇକେଲ ବ୍ରେସୱେଲଙ୍କୁ ଦିଆଯାଇଛି। ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ ଲିଗ (ଆଇପିଏଲ ୨୦୨୫)ରେ ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର ଆଦି ଖେଳାଳି ଖେଳିବେ। ଏହି କାରଣରୁ ଟି୨୦ ସିରିଜରେ ସେମାନଙ୍କୁ ସାମିଲ କରାଯାଇନାହିଁ।

ଚାମ୍ପିଅନ୍ସ ଟ୍ରଫି ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ସିରିଜ। ଗୋଟିଏ ପଟେ, ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଥିଲା ବେଳେ ଆୟୋଜକ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଥିଲା। ପାକିସ୍ତାନ ନ୍ୟୁଜିଲାଣ୍ଡ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି। ମିଚେଲ ସାଣ୍ଟନରଙ୍କ ଅନୁପସ୍ଥିତିରେ ମାଇକେଲ ବ୍ରେସୱେଲଙ୍କୁ ଅଧିନାୟକ କରାଯାଇଛି।

ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ଦଳରେ ମିଚେଲ ସାଣ୍ଟନର ଏବଂ ରାଚିନ ରବିନ୍ଦ୍ରଙ୍କୁ ସାମିଲ କରାଯାଇ ନାହିଁ, ଉଭୟ ଆଇପିଏଲରେ ଖେଳିବେ। ସାଣ୍ଟନର ଆଇପିଏଲ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ, କିନ୍ତୁ ରାଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ କରାଯାଇଛି। ସିଏସକେରେ ସାମିଲ ନ୍ୟୁଜିଲାଣ୍ଡ ଖେଳାଳି ଡେଭନ କନୱେ ମଧ୍ୟ ଟି-୨୦ ସିରିଜର ଅଂଶ ନାହାନ୍ତି।

ଦଳ ଘୋଷଣା କରିବା ସମୟରେ ନ୍ୟୁଜିଲାଣ୍ଡ କହିଛି ଯେ, ଟି-୨୦ ନିୟମିତ ଖେଳାଳି ଡେଭନ କନୱେ, ଲକି ଫର୍ଗୁସନ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର ଏବଂ ସୀମିତ ଓଭର ଅଧିନାୟକ ମିଚେଲ ସାଣ୍ଟନର ଆଇପିଏଲ ପ୍ରତିବଦ୍ଧତା ଯୋଗୁ ଉପଲବ୍ଧ ନାହାନ୍ତି।

Share