ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ, ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଚେତାବନୀ ଦେଇ କହିଛନ୍ତି, “ଆଜି ଇରାନ ଉପରେ ଏକ ଅତି କଠୋର ଆକ୍ରମଣ କରାଯିବ।” ସେ ଆହୁରି ମଧ୍ୟ ସଂକେତ ଦେଇଛନ୍ତି ଯେ, ଇରାନର ଖରାପ ବ୍ୟବହାର ଯୋଗୁ ଏବେ ସେହିସବୁ ଅଞ୍ଚଳ ଏବଂ ଗୋଷ୍ଠୀକୁ ଟାର୍ଗେଟ କରାଯିବ, ଯାହା ପୂର୍ବରୁ ଆମେରିକାର ଯୋଜନାରେ ନ ଥିଲା। ଟ୍ରମ୍ପଙ୍କ ଏହି ବୟାନ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଇରାନ ଏବେ ଦୁର୍ବଳ ହୋଇପଡ଼ିଛି। ଟ୍ରମ୍ପଙ୍କ ଅନୁଯାୟୀ ଇରାନ ନିଜର ପଡ଼ୋଶୀ ଦେଶମାନଙ୍କୁ କ୍ଷମା ମାଗିଛି ଏବଂ ସେମାନଙ୍କ ଉପରେ ଆଉ ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତି ଦେଇଛି। ଇରାନ ଏବେ ହାରି ସାରିଛି, ସେ ଆଉ ମଧ୍ୟପ୍ରାଚ୍ୟର କୌଣସି ଦେଶ ଉପରେ ଅତ୍ୟାଚାର କରିପାରିବ ନାହିଁ। ଅନେକ ମଧ୍ୟପ୍ରାଚ୍ୟ ଦେଶ ଏଥିପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ସେ ଉତ୍ତରରେ ’ୟୁ ଆର ୱେଲକମ’ (You’re welcome) କହିଛନ୍ତି।
ଅପରପକ୍ଷେ, ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ ଟେଲିଭିଜନ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଇରାନ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେ ପଡ଼ୋଶୀ ଦେଶମାନଙ୍କୁ କ୍ଷମା ମାଗିବା ସହ ସ୍ପଷ୍ଟ କରିଛନ୍ତି ଯେ, ଅନ୍ୟ କୌଣସି ଦେଶ ଉପରେ ଆକ୍ରମଣ କରିବାର ଇରାନର କୌଣସି ଉଦ୍ଦେଶ୍ୟ ନାହିଁ।
ଯଦିଓ ଇରାନ ପଛଘୁଞ୍ଚା ଦେଉଥିବା ଭଳି ମନେହେଉଛି, କିନ୍ତୁ ଟ୍ରମ୍ପଙ୍କ ’କଡ଼ା ଆକ୍ରମଣ’ର ଚେତାବନୀ ଯୁଦ୍ଧକୁ ଏକ ନୂଆ ମୋଡ଼ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।