ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଦଳର ପ୍ରଥମ ତାଲିକାରେ ଜାତି ସମୀକରଣକୁ ସନ୍ତୁଳିତ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି।

ନୀତୀଶ କୁମାର ଭାଜପା ସହିତ ମେଣ୍ଟ କରି ବିହାରରେ କ୍ଷମତାରେ ଅଛନ୍ତି। ଏହି ତାଲିକା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ସେ ଭାଜପାର ହିନ୍ଦୁତ୍ୱ ନୀତିକୁ ଅନୁସରଣ କରୁଛନ୍ତି। ନିର୍ବାଚନର କିଛି ଦିନ ପୂର୍ବରୁ ନୀତୀଶ କୁମାର ଏକ କାର୍ଯ୍ୟକ୍ରମରେ ମୁସଲମାନ ଟୋପି ପିନ୍ଧିବାକୁ ମନା କରିଥିଲେ, ଯାହା ଏବେ ଜେଡିୟୁ ତାଲିକାରେ ମଧ୍ୟ ପ୍ରତିଫଳିତ ହୋଇଛି।

ଜେଡିୟୁ ତାଲିକାରେ ଥିବା ଜାତି ସମୀକରଣ ଅନୁସାରେ, ୧୨ ଜଣ ଦଳିତ ପ୍ରାର୍ଥୀ, ୯ ଜଣ କୁର୍ମି ପ୍ରାର୍ଥୀ, ୬ ଜଣ କୁଶଓ୍ବାହା ପ୍ରାର୍ଥୀ, ୩ ଜଣ ଧନୁକ ପ୍ରାର୍ଥୀ, ୬ ଜଣ ଭୂମିହାର ପ୍ରାର୍ଥୀ, ୫ ଜଣ ରାଜପୁତ ପ୍ରାର୍ଥୀ, ୧ ଜଣ କାୟସ୍ଥ ପ୍ରାର୍ଥୀ, ୧ ଜଣ ବ୍ରାହ୍ମଣ ପ୍ରାର୍ଥୀ, ୫ ଜଣ ବୈଶ୍ୟ ପ୍ରାର୍ଥୀ ଏବଂ ୨ ଜଣ ନିଷାଦ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଛି।

ଜେଡିୟୁ ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ତାଲିକା ସ୍ପଷ୍ଟ ଭାବରେ ମୁଖ୍ୟମନ୍ତ୍ରୀ ସାମାଜିକ ଇଞ୍ଜିନିୟରିଂକୁ ପ୍ରତିଫଳିତ କରେ। ଏହା ସ୍ପଷ୍ଟ ଯେ କିଛି ଆସନ ବ୍ୟତୀତ ନୀତୀଶ କୁମାର ବିହାରରେ ଯାଦବ ସଂଖ୍ୟାଗରିଷ୍ଠ ଜାତିକୁ ଅଣଦେଖା କରିଛନ୍ତି ଏବଂ ଏଡ଼ାଇ ଦେଇଛନ୍ତି। ପୂର୍ବ ନିର୍ବାଚନ ପରି ନୀତୀଶ କୁମାର ପୁଣି ଥରେ କୁର୍ମି, କୁଶଓ୍ବାହା, ଧନୁକ, ରାଜପୁତ, ମଣ୍ଡଳ ଏବଂ ଭୂମିହାର ଜାତି ଉପରେ ଧ୍ୟାନ ଦେଇଛନ୍ତି। ତାଲିକା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜାତି ସମୀକରଣ କଥା ଆସିଲେ ନୀତୀଶ କୁମାର ତାଙ୍କର ପୁରୁଣା ରଣନୀତି ଫଲୋ କରୁଛନ୍ତି।

Dharitri – The Largest & Most Trusted Odia Daily

Share