ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ: ବେପାରୀ ନିର୍ଦ୍ଧାରଣ କରୁଛନ୍ତି ମୂଲ୍ୟ

ପଦ୍ମପୁର,୧୪ା୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ। କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ବେଳେ ଏହି ଅଞ୍ଚଳର ଲୋକେ ଖଟିଖିଆ ଓ ଶ୍ରମିକ। କୃଷି ଓ ଜଙ୍ଗଲଜାତ ସାମଗ୍ରୀ ଏମାନଙ୍କ ଆର୍ଥିକ ସ୍ଥିତିକୁ ନିର୍ଦ୍ଧାରଣ କରେ। ଚାଷକୁ ବାଦ୍‌ ଦେଲେ ଏମାନେ ବର୍ଷକରେ ୬ମାସ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ମହୁଲଠାରୁ ଆରମ୍ଭ କରି ଚାରମଞ୍ଜି, ଟୋଲ, ଶାଳପତ୍ର, ଶାଳମଞ୍ଜି, ଆମ୍ବୁଲ, ତେନ୍ତୁଳି ଆଦି ଏମାନଙ୍କ ଆୟର ପ୍ରମୁଖ ଉତ୍ସ। ହେଲେ ବହୁ କଷ୍ଟରେ ଏ ସବୁ ସଂଗ୍ରହ କରୁଥିଲେ ମଧ୍ୟ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ, ଯେଉଁଥିପାଇଁ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ।
ଏହାର ମୁଖ୍ୟ କାରଣ ହେଉଛି ସରକାରଙ୍କ ପକ୍ଷରୁ ଲଘୁବନଜାତ ଦ୍ରବ୍ୟର କିଣା ବିକା ପାଇଁ କୌଣସି ସ୍ବତନ୍ତ୍ର ବଜାର ସୁବିଧା କରାଯାଇନାହିଁ। ଏହି ଜଙ୍ଗଲଜାତ ସାମଗ୍ରୀର ବଜାର ଚାହିଦା ଥିଲେ ବି ବିକ୍ରି ପାଇଁ ବ୍ୟବସ୍ଥା କିମ୍ବା ସରକାରଙ୍କ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ହେଉ ନ ଥିବାରୁ ବେପାରୀମାନେ ହିଁ ନିଜର ମନମୁତାବକ ଦର ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି ନିରୀହ ଆଦିବାସୀ ୫୦ଟଙ୍କାର ସାମଗ୍ରୀକୁ ୨୦/୨୫ଟଙ୍କାରେ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ଏପଟେ ସେହି ସାମଗ୍ରୀକୁ ବେପାରୀ ରପ୍ତାନି କରି ଖୁବ୍‌ ଚଢ଼ା ଦରରେ ବିକ୍ରି କରି ମୁନାଫା ଉଠାଇଥାନ୍ତି।
୨୦୦୮ରେ ସରକାର ବନଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ କିଣିବା ପାଇଁ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେହି ନିର୍ଦ୍ଦେଶ ଫାଇଲ ଭିତରେ ସୀମିତ ରହିଲା ଓ ସରକାର ମଧ୍ୟ ଏହି ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରି ଦେଲେ। ତେବେ ଧାନ ଓ ମାଣ୍ଡିଆ ଭଳି ଯଦି ସରକାର ଏହି ବନଜାତ ଦ୍ରବ୍ୟର ମଣ୍ଡି ବ୍ୟବସ୍ଥା କରନ୍ତେ ତେବେ ଆଦିବାସୀ ତଥା ଗାଁରେ ବସବାସ କରୁଥିବା ଲୋକଙ୍କ ଜୀବନଧାରା ବଦଳି ଯାଆନ୍ତା। ଏ ସମ୍ପର୍କରେ ପଦ୍ମପୁର ବନ ବିଭାଗ ରେଞ୍ଜର ସୁଦାମ ଜଗଦଲାଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ଜଙ୍ଗଲ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନାହିଁ, ଯାହା ହେବ ପଞ୍ଚାୟତ ସ୍ତରରେ ହିଁ ହେବ।