ନାହିଁ ପାର୍କିଂ ବ୍ୟବସ୍ଥା, ରାସ୍ତାରେ ଛିଡ଼ା ହେଉଛି ଟ୍ରକ୍‌

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳରେ ରାସ୍ତା ଜାମ୍‌ ହେବା ନିତିଦିନିଆ ଘଟଣା। ପ୍ରତ୍ୟେକ ଦିନ ରାସ୍ତା ଜାମ୍‌ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପୋଲିସ, ଆର୍‌ଟିଓ କର୍ତ୍ତୃପକ୍ଷ ଟ୍ରକ୍‌ ଉପରେ ଦୋଷ ଲଦି ଫାଇନ କାଟି ବସି ପଡୁଛନ୍ତି।
କୋଇଡ଼ା ଖଣି ଅଞ୍ଚଳରେ ଏବେ ୨୦ରୁ ଊର୍ଦ୍ଧ୍ୱ ଖଣି ଚାଲୁଛି। ହେଲେ ସ୍ଥାନୀୟ ଲୋକଙ୍କୁ ଖଣିରେ ନିଯୁକ୍ତି ନାହିଁ। ଏହି ଅଞ୍ଚଳର ବେକାର ଯୁବକମାନେ ଟ୍ରକ କରି ଖଣିରୁ ମାଲ ପରିବହନ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଲୁହାପଥର, ଲୁହାଗୁଣ୍ଡ ବୃଦ୍ଧି ଯୋଗୁ ଏବେ ବାହାର ଅଞ୍ଚଳର ହଜାର ହଜାର ଟ୍ରକ୍‌ ଏହି ଅଞ୍ଚଳରୁ ମାଲ ପରିବହନ କରୁଛନ୍ତି। ହେଲେ ଖଣିରେ ପାର୍କିଂ ବ୍ୟବସ୍ଥା ନାହିଁ। ଅଧିକ ଗାଡ଼ି ପାଇଁ ୫୨୦ଜାତୀୟ ରାଜପଥ ରେଙ୍ଗାଲବେଢ଼ାଠାରୁ କୁଶୁମୁଣ୍ଡି, କୋଇଡାଠାରୁ ୫୨୦ଜାତୀୟ ରାଜପଥ, କୋଇଡାଠାରୁ ଟେନ୍‌ସା ରାସ୍ତାରେ ଟ୍ରକ ଗୁଡିକ ଲମ୍ବା ଲାଇନ ଲଗାଉ ଥିବାରୁ ରାସ୍ତା ସବୁବେଳେ ଜାମ୍‌ ରହୁଛି। ଅଧିକାଂଶ ସମୟରେ ୮ରୁ ୧୦ ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଛି। ଆମ୍ବୁଲାନ୍ସଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ, ୪ଚକିଆ ଯାନ ଫସି ରହୁଛି। ଏଥିରେ ଟ୍ରକ ମାଲିକଙ୍କ କୌଣସି ଦୋଷ ନ ଥାଇ ମଧ୍ୟ ଫାଇନ ଦେବାକୁ ପଡୁଛି। ଏପରି କି ଦିନକୁ ୨ ଥର ଗୋଟିଏ ଟ୍ରକ ରାସ୍ତା ଜାମ୍‌ କରୁଛି ବୋଲି ଫାଇନ ଦେବାକୁ ପଡୁଛି। ହଜାର କି ଦୁଇ ହଜାର ନୁହେଁ, ୨୫୦୦ ଟଙ୍କାରୁ ନେଇ ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ଦେଉଛନ୍ତି ଫାଇନ। ଏଭଳି ସ୍ଥଳେ ଟ୍ରକ ମାଲିକମାନେ ଗାଡ଼ି କିସ୍ତି ଶୁଝିବା ଦୂରର କଥା, ନିଜ ପରିବାର ମଧ୍ୟ ଚଳାଇପାରୁ ନାହାନ୍ତି। ଆତ୍ମହତ୍ୟା ଛଡ଼ା ଆଉ ଉପାୟ କିଛି ନାହିଁ ବୋଲି କୋଇଡା, ଟେନ୍‌ସା, ମାଲଦା, ଗଣୁଆ, ପାଟାମୁଣ୍ଡା, କାଲଟା, କମଣ୍ଡ, ସାନ ଇନ୍ଦୁପୁର ଅଞ୍ଚଳର ଶହ ଶହ ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ପ୍ରଶାସନ, ପୋଲିସ, ଆରଟିଓ ବିଭାଗ ପ୍ରଥମେ କୋଇଡା ଖଣି ଅଞ୍ଚଳରେ ଚାଲୁଥିବା ଖଣି ମାଲିକଙ୍କୁ ପ୍ରଶ୍ନ କରିବା ଉଚିତ ଯେ ସେମାନଙ୍କ ଖଣିରୁ ଦିନକୁ, ମାସକୁ, ବର୍ଷକୁ କେତେ ଲୁହାପଥର ଓ ଲୁହାଗୁଣ୍ଡ ପରିବହନ ହେଉଛି। ସେହି ହିସାବରେ ଟ୍ରକ ମଗାଇବା କଥା। ଖଣି ମାଲିକମାନେ ଖଣି ଲିଜ ନେବା ବେଳେ ଖଣିରୁ ଲୁହାପଥର, ଲୁହାଗୁଣ୍ଡ ପରିବହନ ନିମନ୍ତେ ଆସୁଥିବା ଟ୍ରକ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଖଣି ମାଲିକ ଟ୍ରକ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରିନାହାନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପ୍ରତ୍ୟେକ ଖଣି ମାଲିକ ନିଜ ନିଜ ଖଣିରେ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ କରନ୍ତୁ ବୋଲି ଟ୍ରକ ମାଲିକମାନେ ଦାବି କରିଛନ୍ତି ।
ଏନେଇ କୋଇଡା ଆଇଆଇସି ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ, ଯେଉଁ ଟ୍ରକ ଓଭର ଟେକ୍‌ କିମ୍ବା ଡବଲ ଲାଇନ କରୁଛନ୍ତି ସେହି ଟ୍ରକ୍‌କୁ ଆମେ ଫାଇନ ଓ ବ୍ଲାକ ଲିଷ୍ଟ କରୁଛୁ। ହେଲେ କୌଣସି ଫରକ ପଡୁନି। ଏହାର ଖୁବଶୀଘ୍ର ସମାଧାନ ହେବ ବୋଲି ଆଇଆଇସି ପତି ପ୍ରକାଶ କରିଥିଲେ।
ସେହିପରି ରାଉରକେଲା ଆରଟିଓ ବିଭୁରଞ୍ଜନ ସାମନ୍ତସିଂହାରଙ୍କୁ ପଚାରିବାରୁ, ଖଣି କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା ବୁଝିବା କଥା। ଏହା ଆମର କାମ ନୁହେଁ । ଯେଉଁ ଗାଡ଼ି ଓଭରଟେକ କରୁଛି, ଲାଇନ କାଟି ଡବଲ ଲାଇନ କରୁଛି ଆମେ ତାଙ୍କଠାରୁ ଫାଇନ କାଟୁଛୁ। ଯେଉଁମାନେ ଲାଇନ କରି ଛିଡ଼ା ହେଉଛନ୍ତି ସେମାନଙ୍କଠାରୁ ଫାଇନ କଟାଯାଉ ନାହିଁ ବୋଲି ସାମନ୍ତସିଂହାର ପ୍ରକାଶ କରିଥିଲେ ।