କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ ଅଞ୍ଚଳରେ। ପଡୋଶୀ ଗଞ୍ଜାମ ଜିଲା ଏବଂ ଏହି ଚାରୋଟି ପଞ୍ଚାୟତକୁ ସଂଯୋଗ କରୁଛି କରଡ଼ା ଘାଟି। ୧୦କି.ମି. ବ୍ୟାପୀ ଏହି ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଗାର୍ଡ ଓ୍ବାଲ ନାହିଁ। ଦୁଇ ଶହ ଫୁଟରୁ ଊର୍ଦ୍ଧ୍ୱ ଗଭୀର ଘାଟି ଦେଖି ଯାତାୟାତ ପାଇଁ ଲୋକେ ଭୟ କରୁଛନ୍ତି। ଯେଉଁ ସବୁ ଯାନବାହାନ ଚଳାଚଳ ହେଉଛି ଅତ୍ୟନ୍ତ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ତିନି ବର୍ଷ ହେଲା ରାସ୍ତା କାମ ଚାଲିଥିଲେ ମଧ୍ୟ ଠିକା ସଂସ୍ଥାର ଅହେତୁକ ବିଳମ୍ବ କାର୍ଯ୍ୟ ଯୋଗୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ମାଲାଗୁଡ଼ାଠାରୁ କରଡ଼ା ପର୍ଯ୍ୟନ୍ତ ଏହି ଘାଟିର ଅନେକ ସ୍ଥାନରେ ମାଟି ଅତଡା ଖସୁଥିବା ଦେଖିବାକୁ ମିଳୁଛି। ୪୦ ବର୍ଷରୁ ଊଦ୍ଧର୍‌ବ ପୁରୁଣା ଏହି ଘାଟିରାସ୍ତା କେବଳ ମରାମତିରେ ଚାଲିଛି। ବର୍ଷାଦିନେ ଯାତାୟାତ କରିବା ସମ୍ଭବ ହେଉ ନାହିଁ। ରାସ୍ତା ଉପରକୁ ବର୍ଷାରେ ପଥର ଖସୁଛି। ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଛ। ରାସ୍ତାକଡ଼ରେ ଗାର୍ଡୱାଲ ନ ଥିବା ଯୋଗୁ ଭାରସାମ୍ୟ ହରାଇଲେ ଘାଟି ତଳକୁ ଖସିଯିବାର ଆଶଙ୍କା ରହିଛି । ଉଭୟ ପାର୍ଶରେ ସଠିକ ଡ୍ରେନେଜ ନ ଥିବା ଯୋଗୁ ବର୍ଷାଦିନେ ରାସ୍ତା ଧୋଇହୋଇ ଯାଉଛି । ଏହାର ଗାର୍ଡୱାଲ ପାଇଁ ଦୃଷ୍ଟି ଦିଆଯାଉ ନ ଥିବାରୁ ମାଟି କ୍ଷୟ ହେବାରେ ଲାଗିଛି । ଗତ ସେପ୍ଟେମ୍ବର ମାସରେ କଳିଙ୍ଗା ଘାଟିରେ ଭୁଷ୍କଳନ ଯୋଗୁ ରାସ୍ତା ବନ୍ଦ ହେବା ଫଳରେ ବିକଳ୍ପ ରାସ୍ତା ଭାବେ ଏହି ରାସ୍ତା ଦେଇ ଦୈନିକ ଶତାଧିକ ଯାନବାହାନ ବିପଦପୂର୍ଣ୍ଣ ଭାବେ ଗଞ୍ଜାମ ଜିଲାକୁ ଚଳାଚଳ କରିଥିଲା। ଗାର୍ଡ ୱାଲ କାର୍ଯ୍ୟକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କହିଛନ୍ତି, ସଂପୃକ୍ତ ଠିକା ସଂସ୍ଥା ଦ୍ୱାରା ହିଁ ଗାର୍ଡ ୱାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ। ଘାଟି ତଳୁ ଜାଲି ଦେଇ ଷ୍ଟେପ ନିର୍ମାଣ କରାଯାଉଥିବାରୁ କାମରେ ବିଳମ୍ବ ଘଟୁଛି।

Dharitri – The Largest & Most Trusted Odia Daily