ଢାକା,୨୫।୧: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ନିରନ୍ତର ଜାରି ରହିଛି। ଆଉ ଜଣେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣା ପୁଣି ଉତ୍ତେଜନା ସୃଷ୍ଟି କରିଛି। ବାଂଲାଦେଶର ନରସିଙ୍ଗଡିରେ ଜଣେ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ମୃତକ ଚଞ୍ଚଳ ଚନ୍ଦ୍ର ଭୌମିକଙ୍କୁ ନରସିଙ୍ଗଡି ପୋଲିସ ଲାଇନ୍ସ ସଂଲଗ୍ନ ମସଜିଦ ମାର୍କେଟ ଅଞ୍ଚଳରେ ଏକ ଗ୍ୟାରେଜ ଭିତରେ ଶୋଇଥିବା ସମୟରେ ହତ୍ୟା କରାଯାଇଥିଲା। ୨୩ ବର୍ଷୀୟ ଚଞ୍ଚଳ ଚନ୍ଦ୍ର ଭୌମିକ ସେହି ଗ୍ୟାରେଜରେ କାମ କରୁଥିଲେ। ତାଙ୍କୁ ଗ୍ୟାରେଜ ଭିତରେ ଜୀବନ୍ତ ଜାଳି ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଚଞ୍ଚଳ ଚନ୍ଦ୍ର ଭୌମିକ ବହୁ ବର୍ଷ ଧରି ନରସିଙ୍ଗଡିର ଏକ ଗ୍ୟାରେଜରେ କାମ କରୁଥିଲେ ଏବଂ ସେଠାରେ ରହୁଥିଲେ। ସେ କୁମିଲ୍ଲା ଜିଲାର ଲକ୍ଷ୍ମୀପୁର ଗ୍ରାମର ବାସିନ୍ଦା ଥିଲେ। ସେ ଦ୍ୱିତୀୟ ପୁଅ ଏବଂ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବାଂଲାଦେଶରେ ସମାନ ଉପାୟରେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ମୟମନସିଂରେ ଦୀପୁ ଚନ୍ଦ୍ର ଦାସ ଏବଂ ଶରିୟତପୁରରେ ଖୋକନ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ (୨୩ ଜାନୁଆରୀ) ଚଞ୍ଚଳ ଚନ୍ଦ୍ର ଭୌମିକଙ୍କୁ ହତ୍ୟା କରାଯାଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଚଞ୍ଚଲ ଭୌମିକ ଯେଉଁ ଗ୍ୟାରେଜରେ କାମ କରୁଥିଲେ ସେଠାରେ ଶୋଇଥିଲେ। କେତେଜଣ ଦୁର୍ବୃତ୍ତ ଦୋକାନ ବାହାରେ ଥିବା ସଟରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଗ୍ୟାରେଜରେ ବ୍ୟାପିଯାଇଥିଲା ଏବଂ ଘଟଣାସ୍ଥଳରେ ଚଞ୍ଚଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଦୋକାନ ବାହାରେ ନିଆଁ ଲଗାଇ ଦେଉଥିବାର ଦେଖାଯାଉଛି, ଏବଂ ତା’ପରେ ନିଆଁ ଭିତରେ ଦ୍ରୁତ ଗତିରେ ବ୍ୟାପିଥିଲା।
Dharitri – The Largest & Most Trusted Odia Daily