ପୁରୁଷୋତ୍ତମପୁର,୧୪।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ପୂର୍ତ୍ତବିଭାଗ (ପିଡବ୍ଲୁଡି) ଓ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍ଡି) ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ଏକପ୍ରକାରର ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଦୀର୍ଘଦିନ ଧରି ସହର ମଧ୍ୟଦେଇ କବିସୂର୍ଯ୍ୟନଗର-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗୀୟ ରାଜପଥରେ ୩୧ ଖାଲଖମା ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ତେବେ ଜନସାଧାରଣଙ୍କ ଦାବିକୁ ନେଇ କୁମାରୀଠାରୁ ସ୍ବପ୍ନେଶ୍ବର ଛକ ପର୍ଯ୍ୟନ୍ତ ଚାରି ଥାକିଆ ବିଶିଷ୍ଟ ଏହି ୨କିମି ରାସ୍ତାକୁ ପିଚୁ ପକାଯାଉଛି। ମାତ୍ର ଏହି ସମୟରେ ଜନସ୍ବାସ୍ଥ୍ୟ ବିଭାଗ ଆଗରୁ ପାଇପ ଲାଇନ ବିଛାଇବା ବଦଳରେ ତରବରିଆ ଭାବେ ରାସ୍ତାପାଶର୍ବକୁ ଖୋଳି ପାଇପ ପକାଇବାରେ ଲାଗିଛିି। ଯାହାଦ୍ବାରା ମନଇଛା ଭାବରେ ବିଭାଗ ଖୋଳିଥିବା ରାସ୍ତାରେ ଯିବା ବେଳେ ଗାଡିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ବର୍ତ୍ତମାନ ସହରରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ମାଙ୍କ ଦର୍ଶନ ଲାଗି ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଲୋକେ ଉଭୟବିଭାଗିୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ସେମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି।
ଗୋଟିଏ ପଟେ ପୂର୍ତ୍ତବିଭାଗ ପୋତିପୋତି ଯାଉଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଖୋଳି ଚାଲିଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗୀୟ କନିଷ୍ଟ ଯନ୍ତ୍ରୀ ସୋନିଆ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ପାଇପ ଲାଇନ ବିଛାଇବା ସକାଶେ ଜନସ୍ବାସ୍ଥ୍ୟ ବିଭାଗ ଗତ ୬ ମାସତଳେ ଏକ ଚିଠି କରିଥିଲେ। ସେମାନଙ୍କୁ ଫେବୃଆରୀ ସୁଦ୍ଧା କାମ ସାରିବାକୁ କୁହାଯାଇଥିଲା। ହେଲେ ସେମାନେ ଆଜ ପର୍ଯ୍ୟନ୍ତ କାମ କଲେନାହିଁ। ଏବେ ତିନିଦିନ ତଳେ ଆମେ କାମ ଆରମ୍ଭ କରିବା ପରେ ସେମାନେ ମନଇଛା ଭାବରେ ଏପରି ରାସ୍ଥାକୁ ଖୋଳି ପକାଇଛନ୍ତି, ଯାହାଦ୍ବାରା ଲୋକଙ୍କ ସମସ୍ୟା ସହ ଆମର କାମକରିବାରେ ମଧ୍ୟ ଘୋର ସମସ୍ୟା ଉପୁଜୁଛି। ଏପରିକି ଏବେ ଖୋଳା ଯାଇଥିବା ରାସ୍ତାରେ ପିଚୁ ପକାଇଲେ ଦବିଯାଇ କମଦିନ ମଧ୍ୟରେ ରାସ୍ତାଟି ଖରାପ ହୋଇଯିବ ବୋଲି ସେ କହିଛନ୍ତି।
ଅପରପକ୍ଷେ ଜନସ୍ବାସ୍ଥ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ଗତ ଏପ୍ରିଲ ମାସରେ ଆମେ ପୂର୍ତ୍ତ ବିଭାଗକୁ ଚିଠି କରିଛୁ। ଏହାକୁ ନେଇ ସେମାନେ ଯାତ୍ରା ସରିବାପରେ ରାସ୍ତା କାମ କରିବେ ବୋଲି କହିଥିଲେ। ତେଣୁ ଆମେ କାମ ଆରମ୍ଭ କରିଥିଲୁ । ମାତ୍ର ସେମାନେ ମଧ୍ୟ ଏବେ କାମ କରିବାରେ ଲାଗିଛନ୍ତି।
ଏହାକୁ ନେଇ ଉଭୟ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏବଂ ଜିଲାପାଳ ଏଥିରେ ହସ୍ତକ୍ଷେପ କରି ଯେପରି ରାସ୍ତା ନିର୍ମାଣ ସ୍ଥାୟିତ୍ୱ ରହିପାରିବ ଓ ଲୋକେ ଯେପରି ହଇରାଣ ନହେବେ ସେଥିନେଇ ତୁରନ୍ତ ପଦକ୍ଷେପ ନେବା ଲାଗି ସହରବାସୀ ଦାବିକରିଛନ୍ତି।