ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ ବାଦ ଦିଆଯାଏ, ତେବେ ରୋଷେଇ ଘରେ ଥିବା ଅସ୍ତ୍ରଶସ୍ତ୍ର ସହିତ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି।

ବଙ୍ଗଳାର କୃଷ୍ଣନଗରରେ ଏକ ରାଲିରେ ସେ କହିଛନ୍ତି, ନିର୍ବାଚନ ସମୟରେ ଦିଲ୍ଲୀରୁ ପୋଲିସ ଡାକି ମା’ ଏବଂ ଭଉଣୀମାନଙ୍କୁ ଭୟଭୀତ କରାଯିବା ସହ ଧମକ ଦିଆଯିବ। ଯଦି ଆପଣଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଏ, ତେବେ ଏହାକୁ ସହ୍ୟ କରନ୍ତୁ ନାହିଁ। ଆପଣଙ୍କ ରୋଷେଇ ଘରେ ଅସ୍ତ୍ରଶସ୍ତ୍ର ଅଛି। ମହିଳାମାନେ ଆଗକୁ ଆସି ଲଢ଼ିବେ ଏବଂ ପୁରୁଷମାନେ ସେମାନଙ୍କ ପଛରେ ଠିଆ ହେବେ।

ସେ କହିଛନ୍ତି, ମୁଁ ଦେଖିବାକୁ ଚାହୁଁଛି କିଏ ଅଧିକ ଶକ୍ତିଶାଳୀ: ମହିଳା ନା ଭାଜପା। ମୁଁ ସାମ୍ପ୍ରଦାୟିକତାରେ ବିଶ୍ୱାସ କରେ ନାହିଁ। ମୁଁ ଧର୍ମନିରପେକ୍ଷତାରେ ବିଶ୍ୱାସ କରେ। ଯେତେବେଳେ ନିର୍ବାଚନ ଆସେ, ଭାଜପା ଟଙ୍କା ବ୍ୟବହାର କରି ଏବଂ ଅନ୍ୟ ରାଜ୍ୟରୁ ଲୋକଙ୍କୁ ଆଣି ଜନସାଧାରଣଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରେ।

ସେ କହିଛନ୍ତି, ରମଜାନ ଏବଂ ଦୁର୍ଗା ପୂଜା ସମୟରେ, ଆମେ ସମସ୍ତେ ଏକାଠି ପ୍ରାର୍ଥନା କରୁ। ଯେଉଁମାନେ ଗୀତା ବିଷୟରେ ଚର୍ଚ୍ଚା କରୁଛନ୍ତି, ମୁଁ ପଚାରିବାକୁ ଚାହୁଁଛି ଯେ ଭଗବାନ କୃଷ୍ଣ କ’ଣ କହିଥିଲେ। ଧର୍ମର ଅର୍ଥ ହେଉଛି ପବିତ୍ରତା, ମାନବିକତା ଏବଂ ଶାନ୍ତି, ହିଂସା, ଭେଦଭାବ ଏବଂ ବିଭାଜନ ନୁହେଁ।

ଭାଜପାକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ମୁଁ କ’ଣ ଏବେ ଦଙ୍ଗାକାରୀ ଦଳକୁ ମୋର ନାଗରିକତା ପ୍ରମାଣ କରିବାକୁ ଦେବି? କେନ୍ଦ୍ର ସରକାରଙ୍କୁ ବଙ୍ଗାଳୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଆମର ଜଣେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଛନ୍ତି, ଯିଏ ସମସ୍ତ ବଙ୍ଗାଳୀଙ୍କୁ ବାଂଲାଦେଶୀ ଭାବରେ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିବେ, କିନ୍ତୁ ଆମେ କାହାକୁ ପଶ୍ଚିମବଙ୍ଗରୁ ବହିଷ୍କାର କରିବାକୁ ଦେବୁ ନାହିଁ। ଯଦି କାହାକୁ ବଳପୂର୍ବକ ବହିଷ୍କାର କରାଯାଏ, ତେବେ ଆମେ ଜାଣୁ ଯେ ସେମାନଙ୍କୁ କିପରି ଫେରାଇ ଅଣାଯିବ।

 

Dharitri – Odisha’s No.1 Odia Daily

 

Share