ଟ୍ୟାଗ୍‌ ଅଛି, ଧାନ ଉଠୁନି: ମଣ୍ଡିରେ ପଡିଛି ୧୬ ଲକ୍ଷ ୩ ହଜାର ପ୍ୟାକେଟ ଧାନ

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମଣ୍ଡି ଖୋଲିବାର ୨ ମାସ ବିତିଥିଲେ ମଧ୍ୟ ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚତ୍ ପାରିନାହିଁ। ଯେଉଁ ଚାଷୀଙ୍କ ପାଖରେ ଟୋକନ ଅଛି ସେମାନେ ମଣ୍ଡିରେ ଧାନ ପକାଇଛନ୍ତି। ଏହାସତ୍ତ୍ୱେ ମଣ୍ଡିରୁ ଠିକ୍‌ ଭାବେ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି।
ପଦ୍ମପୁର ବ୍ଲକ ଉପାନ୍ତ ଦହିତା, ଦହିଗାଁ, ବୁଡେନ, ଜମଲା, କନସିଂହା ସମେତ ପାଇକମାଲ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ୯୨ଟି ମଣ୍ଡିରେ ଧାନ କିଣାବିକାରେ ଅଚଲାବସ୍ଥା ଦେଖାଯାଇଛି। ଶୁକ୍ରବାର ସୁଦ୍ଧା ଉପଖଣ୍ଡ ଅଧୀନ ୯୨ ମଣ୍ଡିରେ ୧୬ ଲକ୍ଷ ୩ ହଜାର ୧୮୦ ପ୍ୟାକେଟ ଧାନ ପଡି ରହିଥିବା ନିମନ୍ତ୍ରିତ ବଜାର କମିଟି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ପାଇକମାଳ ବ୍ଲକ ଝିଟିକି ମଣ୍ଡିରେ ୬୦ହଜାର, ପାଇକମାଳରେ ୫୨ ହଜାର, ଧାରୋଲରେ ୩୭ ହଜାର, ଝାରବନ୍ଧ ବ୍ଲକ ଅମଠି, ଭଏସାଦର୍ହା, ଲୌଡିଦର୍ହଆ ସମେତ ଅନେକ ଉପାନ୍ତ ମଣ୍ଡିରେ ୩୦ହଜାର ପ୍ୟାକେଟ ଉପରେ ଧାନ ପଡି ରହିଛି। ଆଜି ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁ ଚାଷୀମାନଙ୍କ ଟୋକନ ଆସିଛି ସେମାନଙ୍କ ଧାର୍ଯ୍ୟ ଜମି ପରିମାଣରୁ ବହୁତ କମ୍‌ ଆସିଛି।
ଅନ୍ୟପକ୍ଷେ ମିଲର୍ସ ମନଇଚ୍ଛା କଟନି କରି ଧାନ ଉଠାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗୋଟିଏ ପଟେ କଟନି ଛଟନି ପାଇଁ ଚାଷୀ ଅସନ୍ତୁଷ୍ଟ ରହୁଥିବା ବେଳେ ଅନେକ ଚାଷୀ ସେମାନଙ୍କ ଟୋକନ ତାରିଖ କେବେ ଆସିବ ଓ ସେମାନେ ମଣ୍ଡିକୁ କେବେ ଧାନ ନେବେ ସେହି ଅପେକ୍ଷାରେ ଶୀତ କାକରରେ ନିଜର ଅମଳ ଧାନକୁ ଧରି ଜଗି ବସିଛନ୍ତି। ଅଧିକାଂଶ ଚାଷୀଙ୍କ ଟୋକନ ତାରିଖ ଅତିକ୍ରମ କରିଗଲାଣି। ସେହିପରି କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ସେହିପରି କେଉଁ ମଣ୍ଡିରେ କେତେ କୁଇଣ୍ଟାଲ ଧାନ କିଣାଯିବ ତାହା ଯୋଗାଣ ବିଭାଗ ସ୍ଥିର କରୁଛି। ଗୋଟିଏ ମଣ୍ଡିକୁ ଦିନକୁ ମାତ୍ର ୧୫୦ରୁ ୨୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଉଛି। ଏହା ଧାନ ବିକ୍ରିକୁ ମନ୍ଥର କରି ଦେବା ସହିତ କଟନି ଛଟନିକୁ ପ୍ରୋତ୍ସାହିତ କରୁଛି। ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନଙ୍କୁ ପଚାରିବାରୁ ସେ କହିଲେ, ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ପର୍ଯ୍ୟାପ୍ତ ଟ୍ୟାଗ୍‌ ଦିଆଯାଇଛି। ମାତ୍ର ମିଲର୍ସ ଧାନ ଉଠାଉ ନାହାନ୍ତି। ସେଥିପାଇଁ ଚାଷୀମାନଙ୍କ ଧାନ ଖୋଲା ଆକାଶ ତଳେ ପଡିରହିଛି ବୋଲି ପଧାନ କହିଥିଲେ।

 

Dharitri – Odisha’s No.1 Odia Daily