ମୋଦିଙ୍କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବା ପାଇଁ ଆମେରିକାର ବିଲିୟନେୟାର ଜର୍ଜ ସୋରୋସ ଭାରତରେ ରାଜନୈତିକ ଦଳଗୁଡିକୁ ଆର୍ଥିକ ସହାୟତା ଦେଇ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ଆଜି ନାଗରିକ ଭାବରେ ମୁଁ ଦେଶର ଲୋକଙ୍କୁ ଆହ୍ବାନ କରିବାକୁ ଚାହୁଁଛି ଯେ, ଜର୍ଜ ସୋରୋସ ନାମକ ଜଣେ ବିଦେଶୀ ଶକ୍ତି ଭାରତର ଗଣତାନ୍ତ୍ରିକ ଢାଞ୍ଚାରେ କ୍ଷତି ପହଞ୍ଚାଇବେ ବୋଲି ଘୋଷଣା କରିଛନ୍ତି।
ସ୍ମୃତି ଆହୁରି ମଧ୍ୟ କହିଛନ୍ତି, ସୋରୋସ ଘୋଷଣା କରିଛନ୍ତି ସେ ମୋଦିଙ୍କୁ ତାଙ୍କ ଟାର୍ଗେଟ୍‌ର ମୁଖ୍ୟ ବିନ୍ଦୁ କରିବେ। ବିଦେଶୀ ଶକ୍ତି ମାଧ୍ୟମରେ ଭାରତରେ ସେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବେ ଯାହା କେବଳ ଭାରତ ପାଇଁ ନୁହେଁ ବରଂ ତାଙ୍କ ଲାଭ ପାଇଁ ମଧ୍ୟ କାମ କରିବ। ପ୍ରତ୍ୟେକ ଭାରତୀୟ ଏକଜୁଟ ହୋଇ ଜର୍ଜ ସୋରୋସଙ୍କୁ ଜବାବ ଦେବା ଉଚିତ୍‌। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଏଭଳି ଶକ୍ତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଭବିଷ୍ୟତରେ ଆମେ ଏହାକୁ ପରାସ୍ତ କରିବୁ।