ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କେଦାର ଦାସଙ୍କ ଠାରୁ ପୋଲିସ ଦୁଇଟି ଚୋରି ବାଇକ ଜବତ କରଛି। ଥାନା ମାମଲା ନଂ. ୨୫୫/୨୫ ଅନୁଯାୟୀ ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛିି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଶନିବାର ରାତି ପ୍ରାୟ ସାଢେ ୯ଟାରେ ପାଟପୁର ଥାନା ନରସିଂହଗଡ ଗ୍ରାମର କୁନା ପ୍ରଧାନ ତାଙ୍କ ବଡ ଭାଇଙ୍କ ବାଇକ (ନଂ.ଓଡି ୦୭ ଟି – ୪୫୨୬) ଯୋଗେ ଦିଗପହଣ୍ଡି ଆସି ସ୍ଥାନୀୟ ପୁଞ୍ଜିକଂୟା ଛକରେ ଏକ ଯାତ୍ରୀବାହୀ ବସ୍କୁ ଅପେକ୍ଷା କରିଥିଲେ। ବାଇକକୁ ରାସ୍ତାକଡରେ ରଖି ପାଣି ପିଇବାକୁ ଯାଇଥିବା ବେଳେ ତାଙ୍କ ବାଇକକୁ କେହି ଦୁର୍ବୃତ୍ତ ଚୋରି କରିଥିଲେ। ଏ ନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ପ୍ରାପ୍ତ ସୂଚନାକୁ ଭିତ୍ତିକରି ମଙ୍ଗଳବାର ସକାଳେ ତଦନ୍ତକାରୀ ଅଧିକାରୀ ଏଏସଆଇ କେ.ର୍ମିଦ୍ଧା ଅଭିଯୁକ୍ତ କେଦାର ଉକ୍ତ ଚୋରି ବାଇକକୁ ନେଇ ଡେଙ୍ଗାଓସ୍ତା ଗ୍ରାମରୁ ବ୍ରହ୍ମପୁର ଯାଉଥିବା ଖବର ପାଇଥିଲେ। ପୋଲିସ ଟିମ ସଦଳବଳେ ଡେଙ୍ଗାଓସ୍ତା ଗ୍ରାମରେ ଚଢାଉ କରି ବାଇକକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ତାଙ୍କ ଦିଗପହଣ୍ଡି ସାହାଣୀ ସାହି ସ୍ଥିତ ଘରେ ଚଢ଼ାଉ କରି ଅନ୍ୟ ଏକ ଚୋରି ବାଇକ (ନଂ. ଓଡ଼ି୦୭ ଇ- ୧୫୭୭) କୁ ଜବତ କରିଥିବା ଜଣାପଡ଼ିଛି।