ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣା: ବାଳ ସୁଧାର ଗୃହ ଗଲେ ନାବାଳକ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚୋରି ମାମଲାରେ ଦିଗପହଣ୍ଡି ପୋଲିସ ଜଣେ ନାବାଳକଙ୍କୁ ଶନିବାର ବ୍ରହ୍ମପୁରସ୍ଥିତ ଜେଜେବିରେ ହାଜର କରିଥିବା ଜଣାପଡ଼ିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗତ ମଙ୍ଗଳବାର ନାବାଳକ ଜଣକ ସ୍ପଷ୍ଟ ଦିବାଲୋକରେ ମନ୍ଦିରକୁ ଯାଇ ଏକ ପିତ୍ତଳ ଘଣ୍ଟ ଚୋରାଇ ଆଣିଥିଲେ। ଅପରାହ୍ନରେ ମନ୍ଦିର ପୂଜକ ଜଗଦୀଶ ମିଶ୍ର ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳକ ଦେବୀ ପ୍ରସାଦ ରଥଙ୍କୁ ଜଣାଇଥିଲେ। ଏନେଇ ମନ୍ଦିର ପରିଚାଳକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ. ୪୧୬/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ସନ୍ଦେହରେ ନାବାଳକଙ୍କୁ ଥାନାକୁ ଆଣି ଜେରା କରିଥିଲେ। ଏହାପରେ ସେ ପୋଲିସ ସମ୍ମୁଖରେ ଚୋରି କରିଥିବା ସ୍ବୀକାର କରିବା ପରେ ପୋଲିସ ଚୋରି ଯାଇଥିବା ଘଣ୍ଟକୁ ମଧ୍ୟ ଉଦ୍ଧାର କରିଥିବା ଜଣାପଡ଼ିଛି। ପୋଲିସ ଶନିବାର ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବାଳ ସୁଧାଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।

Dharitri – Odisha’s No.1 Trusted Odia Daily