ଗଞ୍ଜାମ,୮।୧୦(ଅଖିଳ ତରାଇ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଚୋରି ହୋଇଛି। ଦଶହରା ଛୁଟି ସରିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏକ ଶ୍ରେଣୀଗୃହର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବହିପତ୍ର ଏବଂ କିଛି ଜରୁରୀ କାଗଜପତ୍ର ଏଣେତେଣେ ପକାଇଥିବା ଦେଖିବାକୁ ପାଇଛନ୍ତି। ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ଲଗାଯାଇଥିବା ସିସିଟିଭି କ୍ୟାମେରା ମଧ୍ୟ ଚୋରି ହୋଇଯାଇଥିଲା। ପୁନର୍ବାର ସେଭଳି ଏକ ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ପିଲାମାନେ ଏଠାକୁ ବିଦ୍ୟାଲାଭ କରିବାକୁ ଆସୁଥିବା ବେଳେ ଏବେ ଏହାର ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ରମ୍ଭା ଥାନାରେ ଅଭିଯୋଗ ଦାୟର କରାଯାଇଛି। ସ୍ଥାନୀୟ ଲୋକମାନେ ଏହି ଚୋରିର ପଛରେ କୌଣସି ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି, କାରଣ ପୂର୍ବରୁ ସିସିଟିଭି ଚୋରି ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛି। ଏହି ଘଟଣା ଗ୍ରାମର ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି। ସେମାନେ ବିଦ୍ୟାଳୟର ସୁରକ୍ଷା ବଢାଇବାକୁ ଦାବି କରୁଛନ୍ତି।
Dharitri – Odisha’s No.1 Trusted Odia Daily