ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଆନନ୍ଦନଗରରେ ଅବସ୍ଥିତ ନବନିର୍ମିତ ମା’ ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖରେ ସରିଛି। ମାତ୍ର ପ୍ରତିଷ୍ଠା ଉତ୍ସବର ଦିନକ ପରେ ଅର୍ଥାତ୍ ଗତ ୨୪ ତାରିଖ ବିଳମ୍ବିତ ରାତିରେ ମା’ତାରିଣୀଙ୍କ ସୁନା, ରୂପା ଅଳଙ୍କାରକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଏହି ଘଟଣା ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି।
ଦୁର୍ବୃତ୍ତମାନେ ୬୦୦ ଗ୍ରାମ ରୂପା ନିର୍ମିତ ଛତ୍ର, ୪ ଗ୍ରାମ ସୁନାରେ ତିଆରି ମଙ୍ଗଳସୂତ୍ର, ପ୍ରଳେପ ଦିଆ ହୋଇଥିବା ରୂପା ହାର, ରୂପାରେ ତିଆରି ସିନ୍ଦୂର ଫରୁଆ ନେଇ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳକୁ ଅନୁସନ୍ଧାନୀ କୁକୁର ସହିତ ପହଞ୍ଚି ତନାଘନା ଆରମ୍ଭ କରିଛି।