Categories: ମେଟ୍ରୋ

ମାସେ ପରେ ଥିଲା ବାହାଘର, ଛପା ସରିଥିଲା କାର୍ଡ; ଆତ୍ମହତ୍ୟା କରିଦେଲେ ଯୁବକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ) : ମାସେ ପରେ ଯୁବକଙ୍କ ବାହାଘର ହୋଇଥାନ୍ତା। ଏଥିପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। କାର୍ଡ ଛପା ସରିଥିଲାବେଳେ ପରିବାରରେ ଖୁସିର ପରିବେଶ ଲାଗି ରହିଥିଲା। ଏପରିସ୍ଥିତିରେ ଯୁବକ ଜଣକ ଶନିବାର ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ହେଲେ ଏକ ଜୁଏଲାରୀ ଶୋ’ରୁମ୍‌ ମ୍ୟାନେଜର କଟକ ବଡମ୍ବାର ନରସିଂହପୁର ଲେହେଙ୍ଗାର ଜ୍ଞାନରଞ୍ଜନ ପ୍ରଧାନ(୩୩)। ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ଜ୍ଞାନରଞ୍ଜନଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ କହିଛନ୍ତି, ଗତ କିଛିଦିନ ହେବ ଜ୍ଞାନରଞ୍ଜନ ଚିନ୍ତିତ ଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ତାଙ୍କର ବିବାହ ଠିକ୍‌ ହୋଇଥିଲା। ମାସେ ପରେ ସେ ବିବାହ କରିଥାନ୍ତେ। କ’ଣ ପାଇଁ ସେ ମାନସିକ ଚିନ୍ତାରେ ଥିଲେ ଓ କାହିଁକି ଆତ୍ମହତ୍ୟା କଲେ ତା’ର ତଦନ୍ତ ଚାଲିଛଇ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତକୁ ତ୍ୱରାନ୍ବିତ କରାଯିବା ସହ ଘଟଣା ଉପରୁ ପରଦା ହଟିବ ବୋଲି ସେ କହିଛନ୍ତି।

ସୂଚନାନୁସାରେ, ଜ୍ଞାନରଞ୍ଜନ ଧଉଳି ଥାନା ଲିଙ୍ଗିପୁରରେ ଭଡାରେ ରହିବା ସହ ମାଷ୍ଟର କ୍ୟାଣ୍ଟିନରେ ଥିବା ଏକ ଜୁଏଲରୀ ଶୋ’ରୁମ୍‌ର ମ୍ୟାନଜର ଭାବେ କାମ କରୁଥିଲେ। ଶନିବାର ସକାଳୁ ପରିବାର ଲୋକଙ୍କ ସହ ଜ୍ଞାନରଞ୍ଜନ କଥା ହୋଇଥିଲେ। ଅପରାହ୍ନ ୩ଟାରେ ବଡ ଭାଇ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ସହକର୍ମୀଙ୍କୁ ଯୋଗାଯୋଗ କରିବାରୁ ସେ ଶୋ’ରୁମ୍‌ ଆସି ନ ଥିବା ଜାଣିବା ପରେ ସନ୍ଦେହ ବଢ଼ିଥିଲା। ତେଣୁ ଏନେଇ ପରିବାର ପକ୍ଷରୁ ଧଉଳି ଥାନାକୁ ଖବର ଦେଇଥିଲେ। ପୋଲିସ ତାଙ୍କ ଘର ନିକଟରେ ପହଞ୍ଚତ୍ବା ପରେ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବା ପରେ ତୁରନ୍ତ କବାଟ ଭଙ୍ଗା ଯାଇଥିଲା। ଜ୍ଞାନରଞ୍ଜନ ଫ୍ୟାନରେ ଝୁଲୁଥିବା ଦେଖିବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।