Women T20 Challenge trophy during match 3 of the Women's T20 Challenge, 2019 between the Supernovas and Velocity held at the Sawai Mansingh Stadium in Jaipur on the 9th May 2019 Photo by: Faheem Hussain /SPORTZPICS for BCCI
ନୂଆଦିଲ୍ଲୀ,୧।୧୦(ପି.ଟି.): ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭାବେ ଜଣାଶୁଣା ଥିବା ବହୁପ୍ରତୀକ୍ଷିତ ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆସନ୍ତା ନଭେମ୍ବର ୪ରୁ ୯ ତାରିଖ ମଧ୍ୟରେ ଆୟୋଜନ ହେବ। ଏ ନେଇ ଆଇପିଏଲ୍ର ଜଣେ ଅଧିକାରୀ ବୁଧବାର ସ୍ପଷ୍ଟ କରିଛନ୍ତି।
କୋଭିଡ୍-୧୯ ମହାମାରୀ କାରଣରୁ ଭାରତରେ ମହିଳା କ୍ରିକେଟ ଠପ୍ ହୋଇଯାଇଛି। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କଡ଼ା ସମାଲୋଚନାର ମଧ୍ୟ ଶିକାର ହୋଇଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି କହିଆସୁଥିଲେ। ଏବେ ଆଇପିଏଲ୍ ତରଫରୁ ସ୍ପଷ୍ଟ କରାଯାଇଛି। ଟ୍ରେଲବ୍ଲେଜର, ଭେଲୋସିଟି ଓ ସୁପରନୋଭାସ ଭଳି ୩ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ସିଙ୍ଗଲ୍ ରାଉଣ୍ଡ ରବିନ୍ ଲିଗ୍ରେ ଦଳଗୁଡିକ ପରସ୍ପରକୁ ମୁକାବିଲା କରିବେ। ୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ନୂଆ ମହିଳା ଚୟନକର୍ତ୍ତା ନୀତୁ ଡେଭିଡ୍ଙ୍କ ଅଧ୍ୟକ୍ଷତାରେ ଦଳଗୁଡିକ ଚୟନ କରାଯିବ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଦଳଗୁଡିକ ୟୁଏଇ ଯାତ୍ରା କରିବେ। ଖେଳାଳି ଓ ଅଫିସିଆଲମାନେ ବାଧ୍ୟତାମୂଳକ ଭାବେ ୬ଦିନ କ୍ୱାରାଣ୍ଟାଇନ୍ରେ ରହିବେ। ମହିଳା କ୍ରିକେଟରମାନଙ୍କୁ ଅଭ୍ୟାସ ତଥା ଟ୍ରେନିଂ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ୩ଟି ଦଳରେ ଅଧିକ ସଂଖ୍ୟାକ ଭାରତୀୟ ମହିଳା କ୍ରିକେଟର ରହିବେ। ସ୍ବାସ୍ଥ୍ୟଗତ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି। ମହିଳା ବିଗ୍ ବାସ ଲିଗ୍ (ଡବ୍ଲ୍ୟୁବିବିଏଲ୍) ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ତାରକା କ୍ରିକେଟରମାନେ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଡବ୍ଲ୍ୟୁବିବିଏଲ୍ରେ ୩ଜଣ ଭାରତୀୟ ଖେଳାଳି ଶେଫାଳ ବର୍ମା, ସ୍ମୃତି ମନ୍ଦାନା ଓ ହରମନପ୍ରୀତ କୌର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ୩ ଖେଳାଳି ଏହି ହାଇପ୍ରୋଫାଇଲ ଲିଗ୍ରେ ଅଂଶଗ୍ରହଣ କରିବେ ନାହିଁ। ଆବୁଧାବିରେ ସ୍ବତନ୍ତ୍ର କ୍ୱାରାଣ୍ଟାଇନ ନିୟମ ଥିବାରୁ ଟୁର୍ନାମେଣ୍ଟର ୪ଟି ମ୍ୟାଚ୍ ଶାରଜା କିମ୍ବା ଦୁବାଇରେ ଖେଳାଯିବ।