ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମେଡିକାଲ ଯିବା ପୂର୍ବରୁ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ରାୟଗଡ଼ା,୫ା୨(ଆଶିଷ ରଞ୍ଜନ ପଣ୍ଡା): ଗାଁକୁ ରାସ୍ତା ନାହିଁ। ଫଳରେ ୧ କିମି ଷ୍ଟ୍ରେଚରରେ ବୁହା ହୋଇଯିବା ପରେ ୨୨ କିମି ଆମ୍ବୁଲାନ୍ସରେ ମେଡିକାଲ ଗଲେ ଗର୍ଭବତୀ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଗର୍ଭବତୀ ପ୍ରସବ କଲେ। ତେବେ ସ୍ଥିତି ଗମ୍ଭୀର ହେବାରୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ କଣ୍ଟାବାଞ୍ଜି ଗାଁରେ। ବୁଧବାର ଗର୍ଭବତୀ କଳାମଣି ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ପରିବାରବର୍ଗ। କାଶୀପୁରଠାରୁ ୧୦୮ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଗାଁକୁ ଯାଇଥିଲା। କିନ୍ତୁ କଣ୍ଟାବାଞ୍ଜି ଗାଁର ୧ କିମି ପୂର୍ବରୁ ଅଟକି ଗଲା ଆମ୍ବୁଲାନ୍ସ। କାରଣ ଗାଁକୁ ଯିବାକୁ ହେଲେ ରାସ୍ତାରେ ରହିଥିବା ଏକ ନଦୀ ପାରି ହେବାକୁ ପଡ଼େ। ଫଳରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ଏଣୁ ଗର୍ଭବତୀଙ୍କ ଅବସ୍ଥା ବିଗିଡ଼ିଥିଲା ଓ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଚାଲିଚାଲି ଗାଁକୁ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ପହଞ୍ଚି ଷ୍ଟେଚର ମାଧ୍ୟମରେ ନଈ ଭିତରେ ପଶି ଖାଲଖମା ରାସ୍ତାରେ ଖଙ୍ଗାରମୁଣ୍ଡା ଛକରେ ରଖିଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ସେଠାରୁ ୨୨ କିମି ଆମ୍ବୁଲାନ୍ସରେ ଆଣି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ବି ଗର୍ଭବତୀଙ୍କ ଅସ୍ଥା ଗମ୍ଭୀର ଅଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।