ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ ହଇରାଣ କରିଛନ୍ତି। ତାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଏକ କାର ଦେବାକୁ ମଧ୍ୟ କୁହାଯାଇଛି। ଅମିତନ୍ଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗରିମା।
ଗରିମା ଅମିତ ଏବଂ ତାଙ୍କ ପରିବାର ବିରୋଧରେ ଘରୋଇ ହିଂସାର ମାମଲା ଦାୟର କରିଛନ୍ତି। ଏହା ସହିତ ଗାରିମା ୧ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି।
ଏହି ମାମଲାରେ ଗରିମା ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଥିବା ଅମିତ ମିଶ୍ର, ତାଙ୍କ ବାପା (ଶଶିକାନ୍ତ ମିଶ୍ର), ମାଆ (ବୀଣା ମିଶ୍ର), ଭାଇ (ଅମର ମିଶ୍ର), ଭାଉଜ (ଋତୁ ମିଶ୍ର)ଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି କହିଛନ୍ତି।
କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ମେ ୨୬ ତାରିଖରେ ହେବ। ସେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଗରିମାଙ୍କ କହିବା ଅନୁଯାୟୀ, ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କୁ ବାହାରକୁ ଯିବାକୁ ରୋକି ଦେଇଥିଲେ। ୨.୫ ଲକ୍ଷ ଟଙ୍କା ଦେବା ପରେ ସେ ଘରୁ ବାହାରିଥିଲେ। ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ହଇରାଣ କରୁଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ପ୍ରଭାବରେ, ଅମିତ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ ଏବଂ ମାଡ଼ ମାରୁଥିଲେ।
ଗରିମାଙ୍କ କହିବା ଅନୁଯାୟୀ, ମଡେଲିଂରୁ ରୋଜଗାର କରୁଥିବା ଟଙ୍କାକୁ ଅମିତ ହଡ଼ପ କରୁଥିଲେ। ଏହାସହ ଇନଷ୍ଟାଗ୍ରାମରେ ଅନ୍ୟ ଝିଅମାନଙ୍କ ସହ କଥା ହେଉଥିଲେ ଏବଂ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଉଥିଲେ।
୪୨ ବର୍ଷୀୟ ଅମିତ ମିଶ୍ର ତିନୋଟି ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୭୬, ୬୪ ଏବଂ ୧୬ ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ସେ IPLରେ ୧୬୨ଟି ମ୍ୟାଚ ଖେଳି ୧୭୪ଟି ଉଇକେଟ ନେଇଛନ୍ତି। ଅମିତ ଆଇପିଏଲରେ ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ଖେଳିଛନ୍ତି।