Categories: ଅନୁଗୋଳ

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି। କିଏ ପ୍ରଥମେ କେଉଁ ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିବେ ସେ ନେଇ ଶ୍ରଦ୍ଧାଳୁମାନେ ଯୋଜନା ମଧ୍ୟ କରିସାରିଲେଣି। ତେବେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା କେତେକ କଟକଣାକୁ ମନ୍ଦିର କମିଟିଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି କହିଛନ୍ତି।
କରୋନା ଯୋଗୁ ଗତ ମାର୍ଚ୍ଚରୁ ଜିଲାର ବିଭିନ୍ନ ଧର୍ମାନୁଷ୍ଠାନରେ ତାଲା ପକାଯାଇଥିଲା। ଫଳରେ ଦୀର୍ଘଦିନ ଧରି ଶ୍ରଦ୍ଧାଳୁମାନେ ମନ୍ଦିର ଯାଇପାରି ନ ଥିଲେ। ଏପରି କି ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଫିକା ପଡ଼ିଯାଇଥିଲା। କେବେ ସଂକ୍ରମଣ ହ୍ରାସ ପାଇବ ଓ ମନ୍ଦିର ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିବ ତାହାକୁ ଜିଲାବାସୀ ଚାହିଁ ବସିଥିବା ବେଳେ ନୂଆ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଜିଲା ପ୍ରଶାସନ ଉପରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନ୍ୟସ୍ତ କରିଥିଲେ। ଇତିମଧ୍ୟରେ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ୩ ତାରିଖରେ ଖୋଲାଯିବ ବୋଲି ସରକାର ସ୍ପଷ୍ଟ କରିବା ପରେ ଅନୁଗୋଳ ଜିଲା ପ୍ରଶାସନ ମଧ୍ୟ ଜିଲାର ଧର୍ମାନୁଷ୍ଠାନଗୁଡ଼ିକ ସେହିଦିନଠାରୁ ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରିଛି। ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଦିଆଯିବା ପରେ ୯ ମାସ ଧରି ଦିଅଁ ଦର୍ଶନ କରିପାରି ନ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ ବିନା ମାସ୍କରେ ଭକ୍ତମାନେ ମନ୍ଦିରରେ ଦର୍ଶନ କରିପାରିବେ ନାହିଁ। ଲୋକଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ। ପର୍ଯ୍ୟାୟ ଭିତ୍ତିରେ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡ଼ାଯିବ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଭିତରକୁ ଗୋଟିଏ ପର୍ଯ୍ୟାୟରେ ୫୦ ଜଣ ଭକ୍ତ ପ୍ରବେଶ କରିପାରିବେ। ଜିଲାରେ ଥିବା ଅନ୍ୟ ମନ୍ଦିର ସହ ଚର୍ଚ୍ଚ ଓ ମସଜିଦ୍‌ ମଧ୍ୟକୁ ଥରକେ ୨୦ ଜଣଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନରେ ପୋଲିସ ମୁତୟନ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ୬୫ ବର୍ଷରୁ ଅଧିକ ବୟସ୍କ, ରୋଗାକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ଶିଶୁଙ୍କୁ ମନ୍ଦିର ନ ଯିବାକୁ ପରାମର୍ଶ ଦିଆଯାଇଛି।

ଚଳଚଞ୍ଚଳ ହେବ ମସ୍‌ଜିଦ୍‌
କରୋନା ଯୋଗୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ ପର୍ବ ପାଣିଚିଆ ହୋଇଗଲା। ୩ ତାରିଖରୁ ମସ୍‌ଜିଦ୍‌ ଖୋଲିବା ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ସ୍ବାଗତ କରୁଛୁ। ତାଲା ଖୋଲିବା ପରେ ଅନୁଗୋଳ ବଜାରକ ଛକରେ ଥିବା ବଡ଼ ମସ୍‌ଜିଦ୍‌, ହାତୀଶାଳପଡ଼ା ଓ ଅମଲାପଡ଼ା ମସ୍‌ଜିଦ୍‌ ଚଳଚଞ୍ଚଳ ହେବ। ପ୍ରଶାସନ ଜାରି କରିଥିବା ସମସ୍ତ ନିୟମ ପାଳନ କରାଯିବ।
-ନଇମ୍‌ ମହମ୍ମଦ, ଅନୁଗୋଳ

ପ୍ରଥମେ ଜଗା ଦର୍ଶନ
ଦୀର୍ଘ ୯ ମାସ ହେବ ଜଗା ଦର୍ଶନ ହୋଇନାହିଁ। ତେଣୁ ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲାଯିବା ପରେ ପ୍ରଥମେ ଶୈଳଶ୍ରୀକ୍ଷେତ୍ର ଯାଇ ଜଗାକୁ ଦର୍ଶନ କରିବି। ଏହାପରେ ସହରରେ ଥିବା ଅନ୍ୟ ମନ୍ଦିରକୁ ଯିବି। ଦର୍ଶନ ନିମନ୍ତେ ପ୍ରଶାସନ ଯେଉଁ କଟକଣା ଜାରି କରିଛି ତାହାକୁ ଅନୁଗୋଳର ସମସ୍ତେ ଶ୍ରଦ୍ଧାଳୁ ପାଳନ କରିବା ଉଚିତ।
-ସଙ୍ଗୀତା ମହାନ୍ତି, ଅନୁଗୋଳ

ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ ହେବ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲାଯିବ। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳନ କରାଯିବ। ସକାଳ ୭ରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିରରେ ଦିଅଁ ଦର୍ଶନ କରିପାରିବେ।

-ହେମନ୍ତ ଦାସ, ସାଧାରଣ ସମ୍ପାଦକ,
ଶୈଳଶ୍ରୀକ୍ଷେତ୍ର ପରିଚାଳନା କମିଟି

ଗହଳି କରା ନ ଯାଉ
ଅନୁଗୋଳ ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଦୀର୍ଘ ୯ ମାସ ଧରି ଦିଅଁ ଦର୍ଶନରୁ ବଞ୍ଚିତ ରହିଥିବା ଭକ୍ତ ଏବେ ମନ୍ଦିର ଯାଇ ପୂଜାପାଠ କରିପାରିବ। ତେବେ ମନ୍ଦିରରେ କିଭଳି ଅଧିକ ଗହଳି ନ ହେବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ।
-ସରିତା ମିଶ୍ର, ଅନୁଗୋଳ