୧୧ ବର୍ଷ ପରେ ଆସିଲା ରାୟ, ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ

ବାଲିଗୁଡା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଘଟିଥିବା ଏକ ଡକାୟତି ମାମଲାର ଶୁଣାଣି କରି ସହକାରୀ ଦୌରା ଜଜ ମୁଖ୍ୟ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଡକାୟତ ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଦୀର୍ଘ ୧୧ ବର୍ଷ ପରେ ଶୁକ୍ରବାର ଉକ୍ତ ମାମଲାର ଶୁଣାଣି କରି ସହକାରୀ ଦୌରା ଜଜ ଉପରୋକ୍ତ ରାୟ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କଠାରୁ ଜରିମନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗ କରିବାକୁ ତାଙ୍କ ରାୟରେ ଶୁଣାଣି କରିଛନ୍ତି।

ମାମଲାର ବିବରଣୀରୁ ଜଣାପଡିଛି, ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତର ଗଚେରି ଗ୍ରାମରେ ୨୦୧୩ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଡକାୟତି ହୋଇଥିଲା। ଡକାୟତମାନେ ଗ୍ରାମର ସିମୀ ମାଝିଙ୍କ ଘରେ ପଶି ତାଙ୍କ ଝିଅ ପିନ୍ଧିଥିବା ସୁନା ଅଳଙ୍କାର, ରୂପା ସାମଗ୍ରୀ ଓ ଘରେ ଥିବା ଟଙ୍କା ଲୁଟି ନେଇଥିଲେ। ଏ ନେଇ ଅଭିଯୋଗ ପରେ ତୁମୁଡିବନ୍ଧ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଡକାୟତି ଗ୍ୟାଙ୍ଗରେ ୭ ଜଣ ରହିଥିବା ବେଳେ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ସସିକେଲା ଗ୍ରାମର ପାଣ୍ଡବ ରାଣା ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ। ସେବେଠାରୁ ଏହି ମାମଲା ସହକାରୀ ଦୌରା ଜଜ୍‌ଙ୍କ ଅଦାଲତରେ ବିଚରାଧୀନ ଥିଲା। ଶୁକ୍ରବାର ବିଚାରପତି ଅପୂର୍ବ ରାୟ ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ରାଣାଙ୍କୁ ୭ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ହେଲେ ୩ ମାସ ଅଧିକ ଦଣ୍ଡ ଭୋଗ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାକୁ ସରକାରୀ ଓକିଲ ସୁରେଶ ପଟ୍ଟନାୟକ ପରିଚାଳନା କରୁଥିଲେ।