କଡ଼ା ସୁରକ୍ଷା ମଧ୍ୟରେ ଏଟିଏମ ଭାଙ୍ଗି କରୁଥିଲେ ଚୋରି, ହଠାତ୍‌ ପହଞ୍ଚିଗଲେ, ତା’ପରେ…

ଲାଞ୍ଜିଗଡ଼, ୧୩।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ ଭାଙ୍ଗି ଚୋରି କରିବା ଉଦ୍ୟମ ଫେଲ ମାରିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ। ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମରେ କୌଣସି ଚୋର ପ୍ରଥମେ ସଟର ଭାଙ୍ଗି ସେଥିରେ ସଫଳ ନ ହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହିତ ଏଟିଏମ ତାଡ଼ି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାରଖାନାକୁ ଲାଗି ରହିଥିବା ଏହି ବ୍ୟାଙ୍କ ଶାଖା ଓ ଏଟିଏମ ନିକଟରେ ଦିନରାତି ଭିଡ଼ ଓ କମ୍ପାନୀର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହାସତ୍ତ୍ୱେ ଜଣେ ଚୋର ଦେହରେ ରେନକୋର୍ଟ ଓ ମୁହଁରେ ମାସ୍କ ପିନ୍ଧି ଏଟିଏମ ଭିତରକୁ ପଶି ଚୋରି ଉଦ୍ୟମ କରିବା ସିସିଟିଭିରେ କଏଦ ହୋଇଛି। ଏ ସମ୍ପର୍କରେ ଖବର ପାଇ ବଡ଼ିଭୋରରୁ କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ପୋଲିସ ଦଳ ପହଞ୍ଚି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଖବରପାଇ ଲାଞ୍ଜିଗଡ ଶାଖା ପରିଚାଳକ ସତୀଶ ମହାକୁଡ଼ ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀ ପହଞ୍ଚିଥିଲେ। ତେବେ ବ୍ୟାଙ୍କ ଶାଖା ପକ୍ଷରୁ ଏଟିଏମରେ କୌଣସି ନିଜସ୍ବ ସୁରକ୍ଷା କର୍ମଚାରୀ ନଥିବାବେଳେ ବେଦାନ୍ତ କମ୍ପାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଏଟିଏମରେ ଚୋରି ଉଦ୍ୟମ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ଏହି ଏଟିଏମ ରେ ଚୋରି ଉଦ୍ୟମ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।