ଶିକ୍ଷକଙ୍କୁ ଜଣାନାହିଁ ‘ଇଲେଭେନ୍‌’ ବନାନ

ରାୟପୁର, ୩୧ା୭: ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସରକାରୀ ସ୍କୁଲର ଶିକ୍ଷକମାନେ ଏକ ଶ୍ରେଣୀଗୃହର କଳାପଟାରେ ଇଲେଭେନ୍‌ ଏବଂ ନାଇଣ୍ଟିନ ସଂଖ୍ୟାର ଇଂଲିଶ ବନାନକୁ ଠିକ୍‌ ଭାବେ ଲେଖିପାରୁ ନ ଥିବାର ଦେଖିବାକୁ ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଛତିଶଗଡ଼ର ବଳରାମପୁର ଜିଲା ମଡ୍ବା ଗ୍ରାମ ପଞ୍ଚାୟତ ଅଧୀନ ଘୋଡ଼ାସୋତ ଗ୍ରାମରେ ଥିବା ଏକ ସରକାରୀ ସ୍କୁଲରୁ ଏହି ଭିଡିଓ ସାମ୍‌ନାକୁ ଆସିଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୨ ଅନ୍ୟ ଶିକ୍ଷକ ବିଭିନ୍ନ ମୌଳିକ ପ୍ରଶ୍ନର ଉତ୍ତର ଦେଇ ପାରୁ ନ ଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। ସେହିପରି ଶିକ୍ଷକମାନେ ବଳରାମପୁର ଜିଲାପାଳ ଏବଂ ରାଜ୍ୟ ଡିଜିପିଙ୍କ ନାମ ମଧ୍ୟ କହିପାରି ନ ଥିଲେ। ଶିକ୍ଷକମାନେ ସରଳ ଇଂଲିଶ ଶବ୍ଦର ବନାନକୁ ଠିକ୍‌ ଭାବେ ଲେଖି ପାରି ନ ଥିବାରୁ ଛତିଶଗଡ଼ର ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ୟୁଜର୍ସ ଚିନ୍ତା ପ୍ରକଟ କରିଛନ୍ତି।