ଯୋଗାଣ ବିଭାଗର ଚଢ଼ାଉ, ୧୩ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ

ବାଲିଗୁଡ଼ା,୨୯ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ପକ୍ଷରୁ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡ଼ା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ କରାଯାଇ ୧୩ ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି।

ପ୍ରକାଶ ଯେ, ସାରଙ୍ଗଡ଼ର ଦିଲୁ ଦଳପତିଙ୍କ ଦୋକାନରୁ ୮ଟି ଏବଂ ବଣ୍ଡଗୁଡ଼ା ନିରଞ୍ଜନ ଗନ୍ତାୟତଙ୍କ ତେଜରାତି ଦୋକାନରେ ବେଆଇନ ଭାବେ ଗଚ୍ଛିତ ଥିବା ୫ଟି ଘରୋଇ ରନ୍ଧନ ଗ୍ୟାସ୍‌ ଏପରି ମୋଟ୍‌ ୧୩ଟି ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି। ସେମାନେ କେଉଁଠୁ ଏହି ଗ୍ୟାସ୍‌ ସିଲିଣ୍ଡର ଆଣିଥିଲେ ସେ ସଂକ୍ରାନ୍ତ କାଗଜପତ୍ର ଦେଖାଇ ପାରି ନ ଥିଲେ। ଜବତ ସିଲିଣ୍ଡରକୁ କ.ନୂଆଗାଁ ସ୍ଥିତ ଗ୍ରାମୀଣ ଗ୍ୟାସ ବିତରକ ପାଖରେ ଜିମା ଦିଆଯାଇଛି। ଏ ସଂକ୍ରାନ୍ତରେ ସାରଙ୍ଗଡ଼ର ଦିଲୁ ଦଳପତି ଓ ବଣ୍ଡଗୁଡାର ନିରଞ୍ଜନ ଗନ୍ତାୟତଙ୍କ ନାମରେ ଏତଲା ଦିଆଯାଇଛି। ଏହି ଚଢ଼ାଉରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ଓ ଡିଇଓ ଗଣେଶ ବେହେରା ସାମିଲ ଥିଲେ। ବର୍ତ୍ତମାନ ଏପରି ଚଢ଼ାଉ ନିୟମିତ ଜାରି ରହିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Share
Tags: Gas cylinder