Wriddhiman Saha of Sunrisers Hyderabad hit a boundary during match 47 of season 13 of the Dream 11 Indian Premier League (IPL) between the Sunrisers Hyderabad and the Delhi Capitals held at the Dubai International Cricket Stadium, Dubai in the United Arab Emirates on the 27th October 2020. Photo by: Saikat Das / Sportzpics for BCCI
ଦୁବାଇ : ଅଧିନାୟକ ଡେଭିଡ୍ ଓ୍ବାର୍ନର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ରଶିଦ ଖାଁଙ୍କ ଚମତ୍କାର ବୋଲିଂ ସହାୟତାରେ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୃହତ୍ ବିଜୟ ହାସଲ କରିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବହୀନ ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଡେଭିଡ୍ ଓ୍ବାର୍ନରଙ୍କ ଦଳ ୮୮ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ କରିଥିଲା। ୨୨୦ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ୧୯ ଓଭରରେ ୧୩୧ ରନକରି ଅଲଆଉଟ ହୋଇ ଯାଇଥିଲା। ଏହି ବିଜୟ ଫଳରେ ସନ୍ରାଇଜର୍ସର ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ରମାଗତ ୩ ପରାଜୟ ସହ ତୃତୀୟ ସ୍ଥାନକୁ ଖସି ପ୍ଲେ-ଅଫ୍ ପ୍ରବେଶ ପାଇଁ ସଂଘର୍ଷ ଜାରି ରଖିଛି।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ମାତ୍ର ହାଇଦ୍ରାବାଦ୍ର ଦୁଇ ଓପନର ଅଧିନାୟକ ଡେଭିଡ ଓ୍ବାର୍ନର ଓ ରିଦ୍ଧିମାନ ଶାହା ତାହାକୁ ଭୁଲ୍ ପ୍ରମାଣିତ କରି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ କୌଣସି ଉଇକେଟ ନ ହରାଇ ପାଓ୍ବାରପ୍ଲେ ୬ ଓଭରରେ ୭୭ ରନ ସଂଗ୍ରହ କରିଥିବାବେଳେ ୮.୪ ଓଭରରେ ଦଳର ୧୦୦ ରନ ପୂରଣ ହୋଇଥିଲା। ପାଓ୍ବାରପ୍ଲେରେ କେବଳ ଓ୍ବାର୍ନର ୫୪ ରନ ସ୍କୋର କରିଥିଲେ। ଚଳିତ ଆଇପିଏଲ୍ରେ କୌଣସି ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଏହା ସର୍ବାଧିକ। ପୂର୍ବରୁ ଦୁବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀର ପୃଥ୍ବୀ ଶ’ ୪୨ ରନ ସଂଗ୍ରହ କରି ରେକର୍ଡର ଅଧିକାରୀ ଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଓ୍ବାର୍ନର ୩୪ ବଲ୍ରୁ ୮ ଚୌକା ଓ ୨ ଛକା ସହ ୬୬ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀକୁ ପ୍ରତୀକ୍ଷିତ ବ୍ରେକ୍ ଥ୍ରୁ ଦେଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେତେବେଳକୁ ୯.୪ ଓଭରରେ ଦଳୀୟ ସ୍କୋର ୧୦୭ ହୋଇଥିଲା। ଓ୍ବାର୍ନରଙ୍କ ଆଉଟରେ ଚାପଗ୍ରସ୍ତ ହୋଇ ନ ଥିଲେ ରିଦ୍ଧିମାନ। ସେ ଧୂଆଁଧାର ବ୍ୟାଟିଂ ଜାରି ରଖି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ୧୪.୩ ଓଭରରେ ଦଳୀୟ ସ୍କୋର ୧୭୦ରେ ପହଞ୍ଚତ୍ବାପରେ ପ୍ୟାଭିଲିୟନ ଫେରିଥିଲେ ଏହି ବେଙ୍ଗଲ ଖେଳାଳି। ଏନରିଚ୍ ନର୍ଜେଙ୍କ ବଲ୍ରେ ସେ ବଡ଼ ଶଟ୍ ଖେଳିବାକୁ ଯାଇଥିଲେ ହେଁ ବ୍ୟାଟ୍ରେ ବଲ୍ ଠିକ୍ଭାବେ ସଂଯୋଗ ହୋଇ ନ ଥିଲା। ଫଳରେ ମିଡ୍ଅଫ୍ରେ ଆୟାର ଅଭ୍ୟାସ କଲା ଭଳି ସହଜ କ୍ୟାଚ ଦେଇଥିଲେ। ରିଦ୍ଧିମାନ ଏଠାରେ ଚମତ୍କାର ଖେଳିଥିବାବେଳେ ଶତକରୁ ୧୩ ରନ ଦୂରରେ ରହି ଯାଇଥିଲେ। ସେ ୪୫ଟି ବଲ୍ ଖେଳି ୧୨ ଚୌକା ଓ ୨ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୮୭ ରନ ସ୍କୋର କରିଥିଲେ। ସେତେବେଳକୁ ମନୀଷ ପାଣ୍ଡେ ମାତ୍ର ୧୧ ରନ କରିଥିଲେ ହେଁ ରିଦ୍ଧିମାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୬୩ ରନ ସଂଗୃହୀତ ହୋଇଥିଲା। ଶେଷଭାଗରେ ମନୀଷ ଦ୍ରୁତ ହାରରେ ରନ ସଂଗ୍ରହ କରି ପାରିବାରୁ ସନ୍ରାଇଜର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ କରି ପାରିଥିଲା। ୩୧ଟି ବଲ୍ ଖେଳିଥିବା ମନୀଷ ୪ ଚୌକା ଓ ୧ ଛକା ସହିତ ୪୪ ଏବଂ କେନ୍ ଓ୍ବିଲିୟମସନ ୧୦ ବଲ୍ରୁ ୧୧ ରନକରି ଅପରାଜିତ ରହିଥିଲେ। ଅସମାପ୍ତ ୩ୟ ଉଇକେଟରେ ଦୁହେଁ ୪୯ ରନ ସଂଗ୍ରହ କରିଥିଲେ। ଦିଲ୍ଲୀ ପକ୍ଷରୁ କେବଳ ରବିଚନ୍ଦ୍ରନ ଅଶ୍ୱିନ, ଏନରିଚ୍ ନର୍ଜେ ଉଇକେଟ ପାଇଥିଲେ। ଚଳିତ ଆଇପିଏଲରେ କାଗିଶୋ ରାବାଡ଼ା ପ୍ରଥମଥରପାଇଁ ଉଇକେଟ ଶୂନ୍ୟ ରହିଥିଲେ ଏବଂ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୪ ରନ ବ୍ୟୟ କରିଥିଲେ। ୨୬ଟି ଟି୨୦ ମ୍ୟାଚ ପରେ ରାବାଡ଼ା ଉଇକେଟ ଶୂନ୍ୟ ରହିଛନ୍ତି। ୨୬ ଇନିଂସ ପୂର୍ବରୁ ୨୦୧୭ ମେ ୨ରେ ଏହି ସନ୍ରାଇଜର୍ସ ବିପକ୍ଷରେ ହିଁ ଉଇକେଟ ପାଇ ନ ଥିଲେ। ସେତେବେଳେ ୪ ଓଭରରେ ସେ ୫୯ ରନ ବ୍ୟୟ କରିଥିଲେ। ୨୧୯ ରନ ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସର ସର୍ବାଧିକ ଏବଂ ଓଭରଅଲ୍ ଦ୍ୱିତୀୟ ସର୍ବାଧିକ ସ୍କୋର। ୨୦୧୯ରେ ହାଇଦ୍ରାବାଦରେ ଏହି ଦଳ ବାଙ୍ଗାଲୋର ବିପକ୍ଷରେ ୨ ଉଇକେଟ ହରାଇ ସର୍ବାଧିକ ୨୩୧ ରନ ସ୍କୋର କରିଥିଲା।
ଟାର୍ଗେଟ ବଡ଼ ଥିବାବେଳେ ଦିଲ୍ଲୀ ପ୍ରଥମ ଓଭରରେ ଇନ୍ଫର୍ମ ଶିଖର ଧାଓ୍ବନ(୦)ଙ୍କ ଉଇକେଟ ହରାଇ ଯେଉଁ ଝଟ୍କା ଖାଇଥିଲା ସେଥିରୁ ଶେଷ ପର୍ଯ୍ୟନ୍ତ ମୁକୁଳି ପାରି ନ ଥିଲା। କୌଣସି ବ୍ୟାଟ୍ସମ୍ୟାନ ହାଇଦ୍ରାବାଦ ବୋଲରଙ୍କ ସଫଳ ମୁକାବିଲା କରିପାରି ନ ଥିଲେ। ଫଳରେ ଦଳ ଗୋଟିଏ ଓଭର ବାକିଥାଇ ଅଲଆଉଟ ହୋଇ ଯାଇଥିଲା। ରିଷଭ ପନ୍ତ ସର୍ବାଧିକ ୩୬ ଓ ଅଜିଙ୍କ୍ୟ ରାହାନେ ୨୬ ରନ କରି ପାରିଥିବାବେଳେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ବିଜୟୀ ଦଳ ପକ୍ଷରୁ ରଶିଦ ଖାଁ (୪-୦-୭-୩) ଚମତ୍କାର ସ୍ପେଲ ବୋଲିଂ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ଶର୍ମା ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ଶାହାବାଜ ନଦୀମ, ଜାସନ ହୋଲ୍ଡର ଓ ବିଜୟ ଶଙ୍କର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୧୯/୨(ରିଦ୍ଧିମାନ-୮୭, ଓ୍ବାର୍ନର-୬୬, ମନୀଷ-୪୪*, ଅଶ୍ୱିନ-୧/୩୫, ନର୍ଜେ-୧/୩୭)। ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୩୧/ଅଲଆଉଟ (ପନ୍ତ-୩୬, ରାହାନେ-୨୬, ରଶିଦ-୩/୭, ସନ୍ଦୀପ-୨/୨୭, ନଟରାଜନ-୨/୨୬, ନଦୀମ-୧/୮, ବିଜୟ ଶଙ୍କର-୧/୧୧, ହୋଲ୍ଡର-୧/୪୬)।