ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ: ସମସ୍ୟା ବୃଦ୍ଧି ରୋକିବାରେ ସରକାର ଫେଲ

ଥୁଆମୂଳ ରାମପୁର,୫ା୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧୀନ କାରବାଡ଼ି ଗ୍ରାମର ଆନ୍ଦାର ମାଝୀ (୨୫) ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ କିଛିଦିନ କାମ କରିବା ପରେ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରି ଶବ ହୋଇ ଘରକୁ ଫେରିଥିବା ବେଳେ ଗତ ଶନିବାର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜବାଙ୍ଗ ଗ୍ରାମର ଉଦୟ ମାଝୀ (୩୬)।
ଗତ ୧୫ଦିନ ତଳେ କାଣିଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜବାଙ୍ଗ ଗ୍ରାମର  ଶୁକ୍ରୁ ମାଝୀଙ୍କ ପୁଅ ଉଦୟ ଗାଁରେ କାମଧନ୍ଧା ଅଭାବରୁ ପରିବାର ପ୍ରତିପୋଷଣ ତଥା ଝିଅର ଉଚ୍ଚଶିକ୍ଷା ପାଇଁ କେରଳ ରାଜ୍ୟ କୋଝିକୋଡେ ଜିଲାକୁ ଯାଇଥିଲେ। ସେଠାରେ ଏଲାଥୁର ଥାନା ଅନ୍ତର୍ଗତ କାକ୍କୁର ଗ୍ରାମଠାରେ ଏକ ଠିକ ସଂସ୍ଥାରେ କାମ କରୁଥିଲେ। ଗତ ୧ ତାରିଖରେ ଉଦୟ କାମ କରୁଥିବା ସମୟରେ ଘରର ସୁରକ୍ଷା ପାଚେରି କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ ସେ ଉକ୍ତ ପାଚେରି କାନ୍ଥ ତଳେ ପୋତି ହୋଇଯାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଦୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣା ଘଟି ୨ଦିନ ପରେ ସ୍ଥାନୀୟ ପୋଲିସ ଏବଂ ମେଡିକାଲର ସହଯୋଗରେ ଆମ୍ବୁଲାନ୍ସ ଯୋଗେ ସୋମବାର ସକାଳ ୯ଟାରେ ନିଜ ଭିଟାମାଟିକୁ ମୃତଦେହ ପହଞ୍ଚିଥିଲା। ଏହାକୁ ନେଇ ପରିବାର ତଥା ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗ୍ରାମ ଶ୍ମଶାନରେ ମୃତଦେହ ଦାହ କରାଯାଇଥିଲା। ସରକାର ପରେ ସରକାର ବଦଳୁଛି, କିନ୍ତୁ ବଦଳୁ ନାହିଁ ଦୁର୍ଗମ ଅଞ୍ଚଳର ଶ୍ରମିକଙ୍କ ଭାଗ୍ୟ। ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

 

Dharitri – Odisha’s No.1 Odia Daily