ରକ୍ତ ରଞ୍ଜିତ ହେଲା ରାସ୍ତା, ସବୁଆଡ଼େ ଶୁଭିଲା ଚିତ୍କାର, ରେସ୍ତୋରାଁ ବାହାରେ ଫୁଟିଲା ଗୁଳି, ୪ ମୃତ, ୧୪ ଆହତ

ସିକାଗୋ,୩।୭: ବୁଧବାର ରାତିରେ ଆମେରିକାର ସିକାଗୋରେ ଏକ ରେସ୍ତୋରାଁ ବାହାରେ ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି। ଏହି ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ, ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର। ପୋଲିସ ଅନୁଯାୟୀ, ଏହି ଘଟଣା ଶିକାଗୋର ରିଭର ନର୍ଥ ଅଞ୍ଚଳର।
ସମ୍ବାଦ ସଂସ୍ଥା ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଏକ ରେସ୍ତୋରାଁ ବାହାରେ ଘଟିଛି, ଯେଉଁଠାରେ ଜଣେ ଗାୟକଙ୍କ ଆଲବମ ରିଲିଜ ପାର୍ଟି ଆୟୋଜନ କରାଯାଇଥିଲା। ପୋଲିସ କହିଛି ଯେ ଜଣେ ଅଜଣା ବ୍ୟକ୍ତି ରେସ୍ତୋରାଁ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳି ଚଳାଇ ତୁରନ୍ତ ଏକ କାରରେ ପଳାଇଯାଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।
ପୋଲିସ ଅନୁଯାୟୀ, ୨୧ ରୁ ୩୨ ବର୍ଷ ବୟସର ୧୩ ଜଣ ମହିଳା ଏବଂ ୫ ଜଣ ପୁରୁଷଙ୍କୁ ଗୁଳି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି ଯେଉଁଥିରେ ଲୋକମାନେ ହସ୍ପିଟାଲ ବାହାରେ ଅପେକ୍ଷା କରି କାନ୍ଦୁଥିବାର ଦେଖାଯାଉଛି। ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛି।
ସିକାଗୋ ପାଦ୍ରୀ ଡୋନୋଭାନ ପ୍ରାଇସ ଘଟଣାସ୍ଥଳରେ ପହଞ୍ଚି ପୀଡିତମାନଙ୍କୁ ସାହାଯ୍ୟ କରିଛନ୍ତି। ସେ କହିଥିଲେ, ‘ଗତ ରାତିରେ ମୁଁ ଯେତେବେଳେ ଏଠାରେ ପହଞ୍ଚିଲି, ସେତେବେଳେ ସମ୍ପୂର୍ଣ୍ଣ ଅରାଜକତା ଥିଲା। ଲୋକମାନେ ଚିତ୍କାର କରୁଥିଲେ, ରାସ୍ତାରେ ରକ୍ତ ପଡ଼ିଥିଲା, ଲୋକମାନେ ରାସ୍ତାରେ ପଡ଼ିଥିଲେ। ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ବିଚଳିତକାରୀ ଥିଲା। ଗୁଳିକାଣ୍ଡ ପରେ ଲୋକମାନେ ସେମାନଙ୍କର ପ୍ରିୟଜନଙ୍କୁ ଖୋଜୁଥିଲେ। ଲୋକମାନେ ଜାଣିବାକୁ ଚାହୁଁଥିଲେ ଯେ କିଏ ଜୀବିତ ଅଛି ଏବଂ କିଏ ମରିଯାଇଛି।’