ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ ମେଣ୍ଟ ସରକାରର ପତନ ଘଟିଥିଲା। ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଥିଲେ ସୁଶୀଳା କାର୍କି। ବିଧିବଦ୍ଧ ସରକାର ପତନର ୬ ମାସ ପରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ସଦ୍ୟ ଖବର ମୁତାବକ ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ବୃହତ୍‌ ବିଜୟ ଦିଗରେ ଅଗ୍ରସର ହେଉଛି। ରାପରରୁ ରାଜନେତା ପାଲଟିଥିବା ତଥା କାଠମାଣ୍ଡୁର ପୂର୍ବତନ ମେୟର ୩୫ ବର୍ଷୀୟ ବଳେନ୍ଦ୍ର ଶାହା ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକୁ ପଛରେ ପକାଇ ରବି ଲାମିଛାନେଙ୍କ ନେତୃତ୍ୱରେ ଆର୍‌ଏସ୍‌ପି ଏବେ ସଫଳତା ପାଇବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ସବୁଠାରୁ ଆଗରେ ରହିଥିବା ଦେଶବ୍ୟାପୀ ଚର୍ଚ୍ଚା ହେଉଛି।
ରବି ନେପାଳର ନଗରକୋଟ୍‌ରେ ୧୩ ସେପ୍ଟେମ୍ବର ୧୯୭୫ରେ ଜନ୍ମଗ୍ରହଣ କରିଥିଲେ। ରାଜନୀତି ପୂର୍ବରୁ ସେ ନେପାଳର ଘରେ ଘରେ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରସିଦ୍ଧ ସାମ୍ବାଦିକ ତଥା ଟେଲିଭିଜନ ଖବର ଉପସ୍ଥାପକ ଭାବେ ସେ ଦୁର୍ନୀତି ବିରୋଧୀ ପ୍ରସଙ୍ଗ ଉତ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୨୨ ନିର୍ବାଚନର ଠିକ୍‌ ପୂର୍ବରୁ ଯେତେବେଳେ ସେ ଆରଏସ୍‌ପି ଗଠନ କରିଥିଲେ, ସେତେବେଳେ ସେ ଦେଶବାସୀଙ୍କୁ ଏକ ସରଳ ପ୍ରତିଶ୍ରୁତି ଦେଇଥିଲେ; ଯାହାର ସ୍ଲୋଗାନ୍‌ ଥିଲା ‘ପୁରୁଣା ରାଜନୈତିକ ଦଳଗୁଡ଼ିକ ବିଫଳ ହୋଇଛନ୍ତି ଏବଂ ଏବେ ଏକ ସ୍ବଚ୍ଛ ବିକଳ୍ପ ଆସିଛି।’ ସେପ୍ଟେମ୍ବର ୨୦୨୫ର ଜେନ୍‌ ଜି ବିପ୍ଳବ ପରବର୍ତ୍ତୀ ପ୍ରଥମ ସଂସଦୀୟ ନିର୍ବାଚନରେ ସେହି ପ୍ରତିଶ୍ରୁତି ଫଳପ୍ରସୂ ହେବାକୁ ଯାଉଛି। ନେପାଳର ପାରମ୍ପରିକ ନେତୃତ୍ୱଠାରୁ ରବିଙ୍କ ଆକର୍ଷଣ ରାଜନୀତିରେ ଭିନ୍ନ ଦିଗ ଦେଖାଇଛି। ବିଭିନ୍ନ ପ୍ରସଙ୍ଗକୁ ଅତି ନିଖୁଣ ଭାବେ ଲୋକଙ୍କ ନିକଟରେ କିଭଳି ପହଞ୍ଚାଯାଇ ପାରିବ ସେଥିପାଇଁ ସେ ନିଜସ୍ବ ରଣନୀତି ସୃଷ୍ଟି କରିଥିଲେ। ରାଜନୈତିକ ବିଶ୍ଳେଷକଙ୍କ ମତରେ ‘ସେ ବିଚାରଧାରା ବିକ୍ରି କରୁ ନ ଥିଲେ, ବରଂ ଅଧୈର୍ଯ୍ୟତାକୁ ବିକ୍ରି କରୁଥିଲେ’।
ଏଭଳି ଏକ ନିଆରା ଛବି ପ୍ରଦର୍ଶନ ଆର୍‌ଏସ୍‌ପିକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଫଳରେ ସହରାଞ୍ଚଳ ଭୋଟର, ନେପାଳୀ ଯୁବା ଏବଂ ବାରମ୍ବାର ସମାନ ମୁହଁଙ୍କୁ ଦେଖି ଅତିଷ୍ଠ ହୋଇଯାଇଥିବା ନାଗରିକଙ୍କୁ ଦଳର ଅଭିନବ ଶୈଳୀ ଆକର୍ଷିତ କରିଥିଲା। ଦେଖୁଦେଖୁ ରବି ଉତ୍ତମ ସଙ୍ଗଠକ ଆସନରେ ବସିବାର ଦକ୍ଷତା ଅର୍ଜନ କରିପାରିଥିଲେ। ଆର୍‌ଏସ୍‌ପିର ପ୍ରଥମ ସଫଳତା ପରେ ସେ ଶୀଘ୍ର କ୍ଷମତା ଭିତରକୁ ପ୍ରବେଶ କରିଥିଲେ। ସମୟର ଆବଶ୍ୟକତା ଦେଖି ସେ ପୁରୁଣା ଦଳଗୁଡ଼ିକର ମିଳିତ ପ୍ରୟାସକୁ ସମର୍ଥନ କଲେ ଏବଂ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ୍‌ ପ୍ରଚଣ୍ଡଙ୍କ ଅଧୀନରେ କିଛି ସମୟ ପାଇଁ ଉପ-ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଅବଶ୍ୟ ତାଙ୍କୁ ସେତେବେଳେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। କାରଣ ଟେଲିଭିଜନ ଜରିଆରେ ସେ ଯାହାଙ୍କୁ ଆକ୍ରମଣ କରୁଥିଲେ ସେହି ବ୍ୟବସ୍ଥା ଭିତରେ ରହିଯାଇଥିଲେ। ପୁଣି ଜାନୁଆରୀ ୨୦୨୩ରେ ନେପାଳ ସୁପ୍ରିମକୋର୍ଟ ବେଆଇନ ନାଗରିକତା କାଗଜପତ୍ର ଯୋଗୁ ତାଙ୍କର ସାଂସଦ ପଦବୀ ରଦ୍ଦ କରିବାରୁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ସୂଚନା ଦିଆଯାଇପାରେ ଯେ, ଭିଜିଟର ଭିଜା ବଳରେ ସେ ଆମେରିକାରେ ପ୍ରବେଶ କରି ପରବର୍ତ୍ତୀ ସମୟରେ ୨୦୦୭ରୁ ୨୦୧୭ ଯାଏ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ପରେ ସେ ନେପାଳ ନାଗରିକତ୍ୱ ଗ୍ରହଣ କଲା ବେଳେ ଆବଶ୍ୟକ ପଦ୍ଧତି ଦେଇ ଯାଇ ନ ଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ସମସ୍ତ ସରକାରୀ ପଦରୁ ହଟାଇଦେଇଥିଲେ। ୨୯ ଜାନୁଆରୀ ୨୦୨୩ରେ ସେ ବିଧିବଦ୍ଧ ଭାବେ ନେପାଳର ପୁନଃ ନାଗରିକତ୍ୱ ହାସଲ କରିଥିଲେ। ପରେ ରବି ୨୦୨୪ରେ ପୁଣି ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ତାଙ୍କର ଏଭଳି ଚରିତ୍ର ଦର୍ଶାଉଥିଲା ଯେ, ଯେତେବେଳେ କ୍ଷମତା ନିକଟବର୍ତ୍ତୀ ହେଉଥିଲେ ସେ ବ୍ୟବସ୍ଥା ସହିତ ବୁଝାମଣା କରିବାକୁ ପ୍ରସ୍ତୁତ ଥିଲେ। ସେପ୍ଟେମ୍ବର ୨୦୨୫ର ଜେନ୍‌ ଜି ବିପ୍ଳବ ଦେଶର ରାଜନୈତିକ ଓ ସାମାଜିକ ଦୃଶ୍ୟପଟକୁ ବଦଳାଇ ଦେଇଥିଲା। ବିଦ୍ରୋହର ମୂଳ କାରଣ ଥିଲା ସୋସିଆଲ ମିଡିଆ ନିଷେଧ। କିନ୍ତୁ ଏହା ଦୁର୍ନୀତି, ବେକାରି ବିରୋଧରେ ଏକ ବ୍ୟାପକ ବିଦ୍ରୋହ ଥିଲା ବୋଲି ପ୍ରଚାର କରି ରବି ଟେଲିଭିଜନ ଉପସ୍ଥାପନା ଶୈଳୀରେ ସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ଏହା ସତ୍ତ୍ୱେ ସମବାୟ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲେ ହେଁ ସେ ଜେଲ୍‌ରୁ ମୁକୁଳି ଆସିଥିଲେ।
ସେପ୍ଟେମ୍ବର ପରବର୍ତ୍ତୀ ସମୟରେ କାଠମଣ୍ଡୁ ମେୟର ବଳେନ୍ଦ୍ର ଶାହା (ବାଲେନ ଭାବେ ପରିଚିତ) ବୃହତ୍‌ ରାଜନୈତିକ ବଳୟକୁ ପ୍ରବେଶ କରିଥିଲେ। ଡିସେମ୍ବର ୨୦୨୫ରେ ସେ ଆର୍‌ଏସ୍‌ପିରେ ଯୋଗ ଦେଲେ। ଏହି ସମୟରେ ରବି ଚତୁରତା ପ୍ରଦର୍ଶନ କରି କହିଲେ ଆର୍‌ଏସ୍‌ପି ଜିତିଲେ ବାଲେନ ହେବେ ପ୍ରଧାନମନ୍ତ୍ରୀ। ନିଜକୁ ଦଳ ମୁଖ୍ୟ ରଖି ସେ ଯେଉଁ ଗୋଟି ଚଳାଇଲେ ତାହା ଆର୍‌ଏସ୍‌ପିକୁ ସଫଳତା ଦେବାରେ ସହାୟକ ହୋଇଛି। ଆଗକୁ ବାଲେନ ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ଶାସନର ଡୋରି ରବିଙ୍କ ହାତରେ ରହିବ ବୋଲି କୁହାଯାଉଛି।
ରବିଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ଇଶା ତାଙ୍କ ପ୍ରଥମ ସ୍ତ୍ରୀ ଥିଲେ ଓ ଉଭୟଙ୍କର ଦୁଇ ଝିଅ ଅଛନ୍ତି। ୨୦୧୯ରେ ଇଶାଙ୍କୁ ଛାଡ଼ପତ୍ର ଦେବା ପରେ ସେତେବେଳେ ନେପାଳ ଫିଲ୍ମ ଡେଭଲପ୍‌ମେଣ୍ଟ ବୋର୍ଡର ଅଧ୍ୟକ୍ଷା ଥିବା ନିକିତା ପୌଡେଲଙ୍କୁ ସେ ବିବାହ କରିଥିଲେ।
-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily