ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା ଦେଇ ପ୍ରବାହିତ ହୋଇଯାଇଛି। ଏହା ଏକ କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡ଼। ସାମୁଦ୍ରିକ ଝଡ଼ଗୁଡ଼ିକ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ସେଗୁଡ଼ିକ ବାସ୍ତବପକ୍ଷରେ ଧନଜୀବନ ପ୍ରତି ମହାବିନାଶକ ଓ ମହାଧ୍ବଂସକାରୀ ସାବ୍ୟସ୍ତ ହୋଇ ଥାଆନ୍ତି।
ଅତୀତର କ୍ଷତ: ୧୯୯୯ ମସିହା ଅକ୍ଟୋବର ୩୧ ତାରିଖ ରବିବାର ସକାଳ : ରାଜଧାନୀ କେନ୍ଦ୍ରାଞ୍ଚଳର ଛାତ ଉପରୁ ମହାନଗରୀର ଏକ ଦୃଶ୍ୟ। ଗଛ, ବସ୍ତି, ସାଇନ ବୋର୍ଡ, ବିଜୁଳିଖୁଣ୍ଟ ସବୁ ଧରାଶାୟୀ ଓ ଧ୍ୱସ୍ତବିଧ୍ୱସ୍ତ। ଦୃଷ୍ଟି ଲମ୍ବି ଯାଉଥାଏ ଦୂର ଦିଗ୍‌ବଳୟକୁ ଓ ଦୃଷ୍ଟି ଅନ୍ତରାଳରେ ଥିବା ରାଜଧାନୀର ବହୁ ଅଞ୍ଚଳ ଆଖି ପୂରେଇ ଦେଖି ହେଉଥାଏ। ରାସ୍ତାଘାଟଗୁଡ଼ିକ ଥାଏ ନୀରବ ଓ ନିର୍ଜନ। ମୁଷ୍ଟିମେୟ ଜନପ୍ରାଣୀ କାଁ ଭାଁ ବିଚରଣ କରୁଥାନ୍ତି। ସବୁ ଲାଗୁଥାଏ ନୂଆ ନୂଆ, ଅଜଣା, ଅଚିହ୍ନା। ମନେହେଉଥାଏ ସବୁ ଯେମିତି କେଉଁ ଏକ ଆଦିମ ସଭ୍ୟତାର କରୁଣ ଧ୍ୱଂସାବଶେଷ। ଏହାର କାରଣ ବୁଝିବା ପାଇଁ ହେଲେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ। ପ୍ରାୟ ୩୦ ଘଣ୍ଟା ଧରି ରାଜଧାନୀ ଓ ସମଗ୍ର ପୂର୍ବ ଓଡ଼ିଶାରେ ବହି ଯାଇଥିଲା ଏକ ମହାପ୍ରଳୟଙ୍କରୀ, ମହାବିନାଶକ, ଅଭୂତପୂର୍ବ ତଥା ଶତାବ୍ଦୀର ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼।
କେବଳ ୧୯୯୯ ମସିହାର ମହାବାତ୍ୟା ନୁହେଁ, ଫାଇଲିନ ( ୨୦୧୩), ହୁଡୁହୁଡୁ (୨୦୧୪), ତିତ୍‌ଲି ( ୨୦୧୮), ଫନୀ (୨୦୧୯), ୟସ୍‌ ( ୨୦୨୧) ଆଦି ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ଗୁଡ଼ିକ ଅତୀତରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରି ଧନଜୀବନର ବିପୁଳ କ୍ଷୟକ୍ଷତି ଘଟାଇଛନ୍ତି। ଏବେ ପୁଣି ଘୂର୍ଣ୍ଣିଝଡ଼ ‘ଦାନା’ ଓଡ଼ିଶାର ଉତ୍ତରପୂର୍ବ ଉପକୂଳରେ ପ୍ରବାହିତ ହୋଇ ଧ୍ୱଂସର ତାଣ୍ଡବ ରଚନା କରିଛି। ତେବେ ମନରେ ପ୍ରଶ୍ନ ଉଠେ- ସମୁଦ୍ର ବକ୍ଷରେ ଏଭଳି ଅଥୟ ଓ ଅଶାନ୍ତ ଝଡ଼ସବୁ ସୃଷ୍ଟି ହୁଏ କିପରି? ସ୍ଥଳଭାଗର ଖଣ୍ଡିଆଭୂତ ଧୂଳିଝଡ଼ଗୁଡ଼ିକ ଶୀଘ୍ର ନିଃଶେଷ ହୋଇ ଯାଉଥିଲାବେଳେ ସମୁଦ୍ରର ଝଡ଼ସବୁ ଦୀର୍ଘସ୍ଥାୟୀ ଓ ଭୟଙ୍କର ହୁଏ କାହିଁକି? ଝଡ଼ ପୁଣି ଗତି କରେ କିପରି? ଝଡ଼ରେ ପବନର ଦିଗ ହଠାତ ବଦଳିଯାଏ କାହିଁକି?
ସମୁଦ୍ରରେ ଖଣ୍ଡିଆଭୂତ: ପ୍ରଚଣ୍ଡ ସୂର୍ଯ୍ୟତାପରେ ସମୁଦ୍ରର ବିସ୍ତୀର୍ଣ୍ଣ ଜଳରାଶି କ୍ରମାଗତ ବାଷ୍ପ ହେଉଥିବାରୁ ବିଷୁବ ମଣ୍ଡଳୀୟ ଅଞ୍ଚଳରେ ବିଶେଷକରି ଗ୍ରୀଷ୍ମ କିମ୍ବା ଶରତ ଋତୁରେ ବାୟୁ ଯଥେଷ୍ଟ ଉଷ୍ମ ଓ ଆର୍ଦ୍ର ଥାଏ। ବେଳେବେଳେ ଏହି ଉଷ୍ମ ଆର୍ଦ୍ର ବାୟୁ କେଉଁଆଡେ ସଞ୍ଚାଳିତ ନ ହୋଇ ବିଶାଳକାୟ ଏକ ବାଦଲ ଆକାରରେ ସମୁଦ୍ର ଉପରେ ନିଶ୍ଚଳ ରୂପେ ଝୁଲି ରହେ। ଏଭଳି ବାଦଲ ବାସ୍ତବକ୍ଷେତ୍ରରେ ଅତ୍ୟନ୍ତ ଅସ୍ଥିର ଓ ଅସ୍ଥାୟୀ। ପ୍ରଚଣ୍ଡ ସୂର୍ଯ୍ୟତାପରେ ବାୟୁ ଆହୁରି ଗରମ ହୋଇ ଏହି ବାଦଲ ମଧ୍ୟ ଦେଇ ଊର୍ଦ୍ଧ୍ୱକୁ ଉଠିବାରୁ ପୂର୍ବୋକ୍ତ ବାଦଲରେ ଶୂନ୍ୟ ସ୍ଥାନ ହୋଇ ଏକ ଲଘୁଚାପ ମଣ୍ଡଳ ସୃଷ୍ଟି କରେ। ଏହି ସ୍ଥାନ ପୂରଣ ନିମନ୍ତେ ଚତୁଃପାର୍ଶ୍ୱର ଶୀତଳ ବାୟୁ ଲଘୁଚାପର କେନ୍ଦ୍ର ଆଡକୁ ମାଡିଆସେ ଯାହା ପୃଥିବୀର ଅକ୍ଷୀୟ ଘୂର୍ଣ୍ଣନ ଯୋଗୁ ବିକ୍ଷେପିତ ହୋଇ କୁଣ୍ଡଳାକାର ରୂପ ଧାରଣ କରେ ଏବଂ ଘୂରି ଘୂରି ଉପରକୁ ଉଠେ। ଏହିଭଳି ଭାବରେ ସମୁଦ୍ର ବକ୍ଷରେ ଏକ ଛୋଟିଆ ଖଣ୍ଡିଆଭୂତ ସୃଷ୍ଟି ହୁଏ। ତେବେ ପ୍ରଶ୍ନ ଉଠେ- ଦୂର ସମୁଦ୍ରର ଏହି ଅଜ୍ଞାତ ଅନାମଧେୟ ଖଣ୍ଡିଆଭୂତଟି ଏକ ବହୁଚର୍ଚ୍ଚିତ ପ୍ରଳୟଙ୍କରୀ ଝଡ଼ର ରୂପ ନିଏ କିପରି? ଏହା ଜଳର ଏକ ମୌଳିକ ଧର୍ମ ଉପରେ ନିର୍ଭର କରେ। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪

Share
Tags: sea