ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ ଘରୋଇକରଣ ହେବାକୁ ଯାଉଛି। ଏ ନେଇ ସରକାରୀସ୍ତରରେ ଆଲୋଚନା, ସମୀକ୍ଷା, ବୈଠକ ଆଦି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସମ୍ଭବତଃ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଏହା ଘରୋଇକରଣ ହେବ। ଉକ୍ତ ଶିକ୍ଷାନୁଷ୍ଠାନକୁ ଆଦାନୀ ସ୍କିଲ ଡେଭଲପ ସେଣ୍ଟର (ଏଏସ୍ଡିସି) ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ(ପିପିପି) ମୋଡ୍ରେ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି। ଏ ନେଇ ଡାଇରେକ୍ଟୋରେଟ ଅଫ୍ ପୋର୍ଟ ଆଣ୍ଡ ଇନ୍ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ, ଓଡ଼ିଶା ପକ୍ଷରୁ ୨୦୨୬ ଫେବୃଆରୀ ୨୦ରେ ଜାରି କରାଯାଇଥିବା ଚିଠି (ନଂ-୮୧୧)ରୁ ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୧୯୯୩ ଏପ୍ରିଲ ୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପରେ ଓଡ଼ିଶା ନୌବାଣିଜ୍ୟ ଶିକ୍ଷାନୁଷ୍ଠାନର ଭିତ୍ତିପ୍ରସ୍ତର କରିଥିଲେ। ସେହି ବର୍ଷ ଶେଷବେଳକୁ ଓଡ଼ିଶା ମେରିଟାଇମ ଏକାଡେମୀ (ଓମା) ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଠାରେ ସମୁଦାୟ ୪୦ ଜଣ ପିଲାଙ୍କ ପାଇଁ ପାଠ ପଢ଼ିବା ଓ ରହିବା ଲାଗି ବ୍ୟବସ୍ଥା ରହିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୦ ଓ ଅନ୍ୟ ରାଜ୍ୟର ୨୦ ଜଣ ଛାତ୍ରଙ୍କ ପାଇଁ ସଂରକ୍ଷିତ ରହିଛି। ପ୍ରତ୍ୟେକ ପାଠ୍ୟକ୍ରମ ୬ ମାସ ଥିବାରୁ ବର୍ଷକୁ ୮୦ ଜଣ ଛାତ୍ର ପାଠ ପଢ଼ିବାର ସୁଯୋଗ ପାଉଛନ୍ତି। ଏପର୍ଯ୍ୟନ୍ତ ସେଠାରେ ଛାତ୍ରୀମାନଙ୍କ ପଢ଼ିବା ପାଇଁ ବ୍ୟବସ୍ଥା ହୋଇନାହିଁ। ଏହା ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପରିଚାଳିତ ହେଉଛି।
ଏହାର ପରିଚାଳନା ଦାୟିତ୍ୱ ପାଇଁ ୧୫ ଜଣିଆ ପ୍ରତିନିଧି ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଭାବେ ପରିବହନ ଓ ବାଣିଜ୍ୟ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଅର୍ଥ ପରାମର୍ଶ ଅଧିକାରୀ, ଧାମରା ବନ୍ଦର ସିଇଓ, ଗୋପାଳପୁର ବନ୍ଦର ପରିଚାଳନା ନିର୍ଦ୍ଦେଶକ, ଶିପିଂ କର୍ପୋରେଶନ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ, କୋଷ୍ଟଗାର୍ଡର କମାଣ୍ଡାଣ୍ଟ, କଲିକତାର ଆପିଜେ ଶିପିଂ, ମୁମ୍ବାଇ ସାଧ ଶିପିଂ, ଆନ୍ଧ୍ରର ଓସେନ ସ୍ପାର୍କଲ ଲିମିଟେଡ଼, ପୋର୍ଟ ଆଣ୍ଡ ଆଇଡବ୍ଲ୍ୟୁଟି ଓଡ଼ିଶାର ନିର୍ଦ୍ଦେଶକ ପ୍ରମୁଖ ସଦସ୍ୟ ଅଛନ୍ତି।
ଉକ୍ତ ଶିକ୍ଷାନୁଷ୍ଠାନ ପାଇଁ ଜାଗା ଓ ଭିତ୍ତିଭୂମି ପାରାଦୀପ ବନ୍ଦର ପକ୍ଷରୁ ଦିଆଯାଇଛି। ଏବେ ୧୦ ଜଣ କର୍ମଚାରୀ ପିଲାଙ୍କୁ ପାଠ ପଢ଼ାଇବା ସହିତ ତାଲିମ ମଧ୍ୟ ଦେଉଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନରୁ ପଢ଼ିଥିବା ଛାତ୍ରମାନେ ପୋର୍ଟ, କୋଷ୍ଟଗାର୍ଡ, ନୌସେନା, ଶିପିଂ କମ୍ପାନୀ ଆଦିରେ ଚାକିରି କରିବାର ସୁଯୋଗ ପାଇଥାନ୍ତି। ଏପରି ଅନୁଷ୍ଠାନ ଏବେ ଘରୋଇକରଣ ହେବା ଘଟଣାକୁ ନେଇ କଂଗ୍ରେସ ନେତା ନିରଞ୍ଜନ ନାୟକ କୁହନ୍ତି, ଏ ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛନ୍ତି। ଓଡ଼ିଆ ଅସ୍ମିତା ନାମରେ ପ୍ରଚାର କରୁଥିବା ବେଳେ ଓଡ଼ିଶାର ସଂସ୍କୃତିକୁ ବିକ୍ରି କରୁଛନ୍ତି। ଏହାକୁ ଘରୋଇକରଣ ନ କରିବା ପାଇଁ ଦଳ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯିବ। ଓମା ସହିତ ଭଦ୍ରକ ଜିଲାର ଚାନ୍ଦବାଲିଠାରେ ଥିବା ୪୭ ବର୍ଷର ନାବିକ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ସମାନ ଭାବେ ଘରୋଇକରଣ ହେବ ବୋଲି ଉକ୍ତ ଚିଠିରୁ ଜଣାପଡ଼ିଛି। ଏହି ପ୍ରସଙ୍ଗ ଉପରେ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।