Categories: ବାଣିଜ୍ୟ

ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୨୩ା୬:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ୫ ସର୍ବାଧିକ ଗରିବ ରାଜ୍ୟ ତାଲିକାରେ ବିହାର, ପଞ୍ଜାବ, କେରଳ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ସାମିଲ ଅଛନ୍ତି। ଚାଲୁ ରହିଥିବା ଶ୍ରୀଲଙ୍କା ସଙ୍କଟ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତର ସମସ୍ତ ରାଜ୍ୟର ଆର୍ଥିକ ଅବସ୍ଥାର ବିସ୍ତୃତ ଆକଳନ କରାଯାଇଛି। ଆର୍‌ବିଆଇ ଅନୁସାରେ, କୋଭିଡ୍‌ ମହାମାରୀ କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଅନେକ ମାତ୍ରାରେ ଖରାପ ହୋଇଛି। ଏହାଛଡ଼ା ଅର୍ଥ ସବ୍‌ସିଡି, ମାଗଣାରେ ବିଜୁଳି ଏବଂ ପାଣି ଭଳି ସୁବିଧା ଦିଆଯିବା, ପୁରୁଣା ପେନ୍‌ସନ ଯୋଜନା ଲାଗୁ କରାଯିବା ଭଳି ପଦକ୍ଷେପଗୁଡ଼ିକ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିଦେଇଛି। ରିଜର୍ଭ ବ୍ୟାଙ୍କ ଅନୁସାରେ, ୨୦୧୧-୧୨ଠାରୁ ୨୦୧୯-୨୦ ମଧ୍ୟରେ ରାଜ୍ୟଗୁଡ଼ିକର ମୋଟ୍‌ ଆର୍ଥିକ ନିଅଣ୍ଟ ଏବଂ ଜିଡିପି ଅନୁପାତ ୨.୫% ରହିଛି। ଏହି ଅନୁପାତକୁ ୩% ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ପ୍ରୟାସ କରିବାକୁ ପଡ଼ିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଆର୍‌ବିଆଇ ତଥ୍ୟ ଅନୁସାରେ ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ ଏବଂ ଓଡ଼ିଶା ଭଳି ରାଜ୍ୟଗୁଡ଼ିକର ଉତ୍ତମ ପ୍ରଦର୍ଶନ କାରଣରୁ ଆଗାମୀ ଦିନରେ ମୋଟ୍‌ ଆର୍ଥିକ ନିଅଣ୍ଟ ଏବଂ ଜିଡିପି ଅନୁପାତରେ ସୁଧାର ଆସିପାରେ। ଏହାଛଡ଼ା ଆର୍ଥିକ ବର୍ଷ ୨୦୨୬-୨୭ରେ ଋଣ ଏବଂ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଅନୁପାତ ମାମଲାରେ ପଞ୍ଜାବର ସବୁଠାରୁ ଖରାପ ସ୍ଥିତି ହୋଇପାରେ। ପଞ୍ଜାବର ଏହି ଅନୁପାତ ୪୫% ପାରହେବା ସମ୍ଭାବନା ରହିଥିବା ବେଳେ ରାଜସ୍ଥାନ, କେରଳ ଏବଂ ପଶ୍ଚିମବଙ୍ଗ ପାଇଁ ଏହି ଅନୁପାତ ୩୫%ରୁ ଊର୍ଦ୍ଧ୍ୱ ହୋଇପାରେ। ଆର୍‌ବିଆଇ ତଥ୍ୟ ଅନୁସାରେ ସର୍ବାଧିକ ଋଣଭାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ରାଜସ୍ଥାନ, କେରଳ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣର ନାମ ସାମିଲ ରହିଛି। ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ମାଗଣା ପରିବହନ, ଚାଷୀଙ୍କୁ ଋଣଛାଡ଼ ଭଳି ବିଭିନ୍ନ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ୱାରା ପ୍ରାଇଭେଟ୍‌ ଇନ୍‌ଭେଷ୍ଟମେଣ୍ଟର ଫାଇଦାକୁ ଶେଷ କରି ଦେଉଥିବା ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

Share