କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ, ସୂଚନାପ୍ରଦାନକାରୀ ବୋର୍ଡ ପ୍ରସ୍ତୁତ କରିବେ। ଏହି ନିରୀକ୍ଷଣ କାର୍ଯ୍ୟ କେବଳ ସ୍ଥାନାଙ୍କରେ ଉନ୍ନତି ପାଇଁ ନୁହେଁ ବରଂ ବ୍ୟବସ୍ଥାରେ ଉନ୍ନତି ଓ ସଂସ୍କାର ଦ୍ୱାରା ନିବେଶକୁ ଆକର୍ଷିତ କରିବା ତଥା ବିଶ୍ୱସ୍ତରରେ ଭାରତର ଦୃଷ୍ଟିକୋଣର ବିକାଶ ସକାଶେ ଉଦ୍ଦିଷ୍ଟ ଥିଲା। କିନ୍ତୁ ଏହା ଘଟିଲା ନାହିଁ। ମୋର ଏକ ପୁସ୍ତକରେ, ୨୦୧୪ ତୁଳନାରେ ଭାରତର ସ୍ଥିତି ଏବେ କେଉଁଠି ଅଛି ତାହା ତୁଳନା କରିବା ପାଇଁ ମୁଁ ଚାରି ଡଜନରୁ ଅଧିକ ବିଶ୍ୱ ସୂଚକାଙ୍କ ଉପରେ ଅନୁଧ୍ୟାନ କରିଥିଲି। ତେବେ ଦେଶର ସ୍ଥିତି ସମ୍ପର୍କରେ ଜାଣିବା ଅତ୍ୟନ୍ତ ଶିକ୍ଷଣୀୟ। ଆସନ୍ତୁ ସେହି ସୂଚକାଙ୍କଗୁଡ଼ିକୁ ଦେଖିବା। ମାନବ ବିକାଶ ସୂଚକାଙ୍କରେ, ୨୦୧୪ରେ ଭାରତର ସ୍ଥାନ ଥିଲା ୧୩୦ ଏବଂ ଆଜି ତାହା ଅପରିବର୍ତ୍ତିତ ଅଛି। ଜାତିସଂଘ ରିପୋର୍ଟରେ କୁହାଯାଇଛି, ଅସମାନତା ଭାରତର ମାନବ ବିକାଶ ସୂଚକାଙ୍କକୁ ୩୦.୭% ହ୍ରାସ କରିଛି, ଯାହା ଦେଶର ସବୁଠୁ ବଡ଼ କ୍ଷତି। ଅନ୍ୟପଟେ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଅସମାନତାରେ ଉନ୍ନତି ଘଟିଥିବାବେଳେ ଆୟ ଏବଂ ଲିଙ୍ଗଗତ ବୈଷମ୍ୟ ଅତ୍ୟଧିକ ରହିଛି। ସିଭିକସ୍ ମନିଟର ଦର୍ଶାଇଛି, ଭାରତର ‘ଅବରୋଧିତ’ ନାଗରିକ ସୁଯୋଗ ଏବେ ‘ଦମିତ’ ହୋଇ ରହିଛି। ଏହା ବ୍ୟତୀତ କୁହାଯାଇଛି, ବିଶ୍ୱରେ ମୋଟ ୪୯ଟି ଦେଶ ଏହି ‘ଦମିତ’ ବର୍ଗରେ ଅଛନ୍ତି। ଏହି ବର୍ଗରେ ଥିବା ଦେଶଗୁଡ଼ିକରେ ନାଗରିକ ସୁଯୋଗକୁ କ୍ଷମତାଧାରୀମାନେ ଅତ୍ୟଧିକ ସୀମିତ କରିଦେଇଥାନ୍ତି।
ଲୋୱି ଇନ୍ଷ୍ଟିଚ୍ୟୁଟ୍ର ଏସିଆ ପାୱାର ଇଣ୍ଡେକ୍ସ ଦୃଢ଼ ଶକ୍ତିର ମୂଲ୍ୟାଙ୍କନ କରିଥାଏ। ଏଥିରେ ଭାରତର ସ୍କୋର ବା ପ୍ରାପ୍ତାଙ୍କ ୪୧.୫ରୁ ୩୯.୧କୁ ଖସି ଆସିଛି, ଫଳରେ ଏହା ‘ପ୍ରମୁଖ ଶକ୍ତି’ ମାନ୍ୟତା ହରାଇଛି। ଫ୍ରିଡମ୍ ହାଉସ୍ର ଫ୍ରିଡମ୍ ଇନ୍ ଦି ୱାଲର୍ଡ ବିଶେଷକରି ଆଇନର ଶାସନ, ଶାନ୍ତିପୂର୍ଣ୍ଣ ରାଜନୈତିକ ସହାବସ୍ଥାନ ଓ ନିର୍ବାଚନ, ସରକାରଙ୍କ କାର୍ଯ୍ୟଦକ୍ଷତା, ନାଗରିକ ସ୍ବାଧୀନତା ଇତ୍ୟାଦିକୁ ଅନୁଧ୍ୟାନ କରିଥାଏ। ୨୦୧୪ରେ ଭାରତ ଏଥିରେ ୭୭ ର଼୍ୟାଙ୍କ୍ରେ ଥିଲା ଓ ଏହାକୁ ‘ସ୍ବାଧୀନ’ ଭାବରେ ଚିହ୍ନିତ କରାଯାଇଥିଲା। ୨୦୨୫ରେ ଏହା ୬୩କୁ ଖସି ‘ଆଂଶିକ ସ୍ବାଧୀନ’ ବର୍ଗରେ ଅଛି। ଫ୍ରିଡମ୍ ହାଉସ୍ ପ୍ରକାଶ କରିଥିଲା, ଭାରତ ଏକ ବହୁଦଳୀୟ ଗଣତନ୍ତ୍ର ହୋଇଥିଲେ ମଧ୍ୟ ସରକାର ପକ୍ଷପାତପୂର୍ଣ୍ଣ ନୀତି ଏବଂ ମୁସଲିମ ଜନସଂଖ୍ୟାକୁ ପ୍ରଭାବିତ କରୁଥିବା ନିର୍ଯାତନା ବୃଦ୍ଧିକୁ ପ୍ରଶ୍ରୟ ଦେଇଛି। ଓ୍ବାଲର୍ଡ ଜଷ୍ଟିସ ପ୍ରୋଜେକ୍ଟ ଆଇନର ଶାସନ ସୂଚକାଙ୍କ ପ୍ରକାଶ କରେ। ଏହା ଦେଶଗୁଡ଼ିକର ଅପରାଧ ଏବଂ ନାଗରିକ ନ୍ୟାୟ ବ୍ୟବସ୍ଥା, ମୌଳିକ ଅଧିକାର, ସରକାରୀ କ୍ଷମତା ଉପରେ ପ୍ରତିବନ୍ଧକ, ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ସରକାର, ଶୃଙ୍ଖଳା ଓ ସୁରକ୍ଷା ଏବଂ ନିୟାମକ ପ୍ରବର୍ତ୍ତନ ଅନୁଧ୍ୟାନ କରେ। ୨୦୧୪ରେ ଭାରତ ବିଶ୍ୱସ୍ତରରେ ୬୬ ସ୍ଥାନରେ ଥିଲା, ଏବେ ଖସି ୮୬ରେ ପହଞ୍ଚତ୍ଛି। ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱର୍କର ବିଶ୍ୱ ଖୁସି ରିପୋର୍ଟ ମୋଟ ମୁଣ୍ଡପିଛା ଉତ୍ପାଦ(ଜିଡିପି), ସାମାଜିକ ସମର୍ଥନ, ସୁସ୍ଥ ଜୀବନ ଆଶା, ଜୀବନ ପାଇଁ ପସନ୍ଦ କରିବାର ସ୍ବାଧୀନତା, ସହାନୁଭୂତି, ଦୁର୍ନୀତି ଓ ଅନ୍ୟାୟ ଅତ୍ୟାଚାରର ଅବଧାରଣା ଉପରେ ଅନୁଧ୍ୟାନ କରିଥାଏ। ଏଥିରେ ଭାରତ ୨୦୧୪ରେ ୧୧୧ସ୍ଥାନରେ ଥିଲା ଏବଂ ଏବେ ୧୧୮କୁ ଖସିଛି। ରିପୋର୍ଟର୍ସ ୱିଦାଉଟ ବର୍ଡରର ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତ ୨୦୧୪ରେ ୧୪୦ ସ୍ଥାନରେ ଥିଲା, ଏବେ ୧୫୧କୁ ଖସି ଆସିଛି। ଏହା ପ୍ରକାଶ କରିଛି, ସାମ୍ବାଦିକଙ୍କ ବିରୋଧରେ ହିଂସା, ଅତ୍ୟଧିକ ମାଲିକାନାକୈନ୍ଦ୍ରିକ ଗଣମାଧ୍ୟମ ଏବଂ ରାଜନୈତିକ ବୁଝାମଣା ଯୋଗୁ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣମାଧ୍ୟମ ସ୍ବାଧୀନତା ସଙ୍କଟରେ ଅଛି। କାଟୋ ସଂସ୍ଥାର ମାନବ ସ୍ବାଧୀନତା ସୂଚକାଙ୍କରେ ଭାରତ ୮୭ (୨୦୧୪ରେ) ସ୍ଥାନରୁ ଏବେ ୧୧୦କୁ ଖସି ଆସିଛି। ବିଶ୍ୱ ଅର୍ଥନୈତିକ ଫୋରମ୍ର ବିଶ୍ୱ ଲିଙ୍ଗଗତ ପ୍ରଭେଦ ସୂଚକାଙ୍କରେ, ଭାରତ ୨୦୧୪ରେ ୧୧୪ ସ୍ଥାନରୁ ଖସି ୧୩୧ରେ ପହଞ୍ଚତ୍ଛି। ୨୦୨୫ରେ ସଂସଦରେ ମହିଳା ପ୍ରତିନିଧିତ୍ୱ ୧୪.୭%ରୁ ୧୩.୮%କୁ ହ୍ରାସପାଇଛି। ସେହିପରି, ମନ୍ତ୍ରୀ ଭାବେ ମହିଳାମାନଙ୍କ ଶେୟାର ୬.୫%ରୁ ୫.୬%କୁ ହ୍ରାସ ଘଟିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲର ଗ୍ଲୋବାଲ କରପ୍ସନ ପରସେପ୍ସନ ସୂଚକାଙ୍କ ବିଷୟରେ ପୂର୍ବରୁ ଭାରତର ଗଣମାଧ୍ୟମରେ ନିୟମିତ ଭାବେ ରିପୋର୍ଟ ପ୍ରକାଶ ପାଉଥିଲା, କିନ୍ତୁ ଏବେ ତାହା ଘଟୁନାହିଁ। ଏଥିରେ ଭାରତ ୮୫ (୨୦୧୪ରେ)ସ୍ଥାନରୁ ଖସିଆସି ୯୬ରେ ରହିଛି।
ହେରିଟେଜ ଫାଉଣ୍ଡେଶନର ଗ୍ଲୋବାଲ ଇକୋନୋମିକ ଫ୍ରିଡମ୍ ଇଣ୍ଡେକ୍ସ ଆଇନର ଶାସନ, ସରକାରୀ ଆକାର, ନିୟାମକ ଦକ୍ଷତା ଏବଂ ମୁକ୍ତ ବଜାର ସମ୍ପର୍କରେ ଅନୁଧ୍ୟାନ କରେ। ଭାରତ ୨୦୧୪ରେ ୧୨୦ ସ୍ଥାନରେ ଥିଲା ଏବଂ ଏବେ ଏହାର ସ୍ଥାନ ୧୨୮। ବଜାରକୈନ୍ଦ୍ରିକ ସଂସ୍କାରଗୁଡ଼ିକରେ ପ୍ରଗତିରେ ଅସମାନତା ଯୋଗୁ ଏହା ହୋଇଛି। ଏକ ଦକ୍ଷ କାର୍ଯ୍ୟକ୍ଷମ ଆଇନଗତ ଢାଞ୍ଚାର ଅଭାବରେ ଦୀର୍ଘକାଳୀନ ଅର୍ଥନୈତିକ ବିକାଶର ମୂଳଦୁଆ ଦୁର୍ବଳ ରହିଛି। ଉଦ୍ୟୋଗୀମାନେ ଗମ୍ଭୀର ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଭାରତର ନିୟାମକ ଢାଞ୍ଚା ଏବେ ଅବଦମିତ। ଏହାସହ ବିଶ୍ୱ କ୍ଷୁଧା ସୂଚକାଙ୍କ କ୍ଷୁଧା, ବୟସ ଅନୁଯାୟୀ ଶିଶୁଙ୍କ ଉଚ୍ଚତା କମ୍ ତଥା ଅପପୁଷ୍ଟି ଉପରେ ଅନୁଧ୍ୟାନ କରେ। ୨୦୧୪ରେ ଭାରତ ୭୬ଟି ଦେଶ ମଧ୍ୟରୁ ୫୫ ସ୍ଥାନରେ ଥିଲା। ଏବେ ୧୨୩ଟି ଦେଶ ମଧ୍ୟରୁ ୧୦୨ତମ ସ୍ଥାନରେ ଅଛି। ରିପୋର୍ଟରେ କୁହାଯାଇଛି, ଭାରତରେ କ୍ଷୁଧା ସ୍ତର ଅତି ଗମ୍ଭୀର। ଯେତେବେଳେ କ୍ଷୁଧା ସୂଚକାଙ୍କରେ ଭାରତ ତଳକୁ ଖସିବା ଆରମ୍ଭ କଲା, ସେତେବେଳେ ୨୦୨୧ରେ ସରକାର ସଂସଦରେ କହିଥିଲେ ଯେ, ଭାରତୀୟମାନେ ଭୋକିଲା ରହିବା ସମ୍ଭବ ନୁହେଁ ଏବଂ ଆମେ ଏପରି ରିପୋର୍ଟ ପ୍ରତି ସମ୍ବେଦନଶୀଳ ହେବା ଉଚିତ ନୁହେଁ। ସମୟକ୍ରମେ ଏହି ସୂଚକାଙ୍କଗୁଡ଼ିକରୁ ଆମର ସ୍ଥିତି ସାମ୍ନାକୁ ଆସିଛି। ପ୍ରଥମେ ଆମେ ଧରିନେଇଥିଲୁ ଯେ, ସୁଶାସନ ଏକ ପରିବର୍ତ୍ତନ ଆଣିବ। ତା’ପରେ କହିଲୁ ଏହିସବୁ ସୂଚକାଙ୍କରେ ଖରାପ ତଥ୍ୟ ଅଛି ଏବଂ ଏଗୁଡ଼ିକୁ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକ ଆମ ପ୍ରତି ପକ୍ଷପାତ ନୀତି ଆପଣାଇଥିଲେ। ପରେ ଖବରଗୁଡ଼ିକୁ ଅଣଦେଖା କରିବାକୁ ନିଷ୍ପତ୍ତି ନିଆଯାଇଥିଲା; ଯଦିଓ ତଥ୍ୟ ବାରମ୍ବାର ଆସିଛି ଏବଂ ଏବେ ବି ଆସୁଛି। ହେଲେ ସାଧାରଣ ଗଣମାଧ୍ୟମର ଏଥିପ୍ରତି ଆଗ୍ରହ ରହୁନାହିଁ। ଏଣୁ ଦେଶର ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି ଏବଂ ନୂତନ ଭାରତ କେଉଁ ଦିଗରେ ଗତି କରୁଛି ତାହା ଜାଣିବା ନାଗରିକ ଉପରେ ଛାଡ଼ି ଦିଆଯାଇଛି।