ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଲେ

କଟକ ଅଫିସ,୨୪ା୨: ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏଠାରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗୁରୁବାର ଶୁଣାଣିବେଳେ ରାଜ୍ୟ ସରକାର ସାନି ସତ୍ୟପାଠ ଦାଖଲ କରିବାର ଥିଲା। କିନ୍ତୁ ସରକାର ସତ୍ୟପାଠ ଦାଖଲ କରିପାରି ନାହାନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ଏପ୍ରିଲ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଗଞ୍ଜାମ ଜିଲା ଆସ୍କାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀ ପେନ୍‌ସିଲ୍‌ ଓ ଖାତା କିଣିବା ପାଇଁ ମାତ୍ର ୧୦ ଟଙ୍କା ନ ପାଇବାରୁ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ପୂର୍ବ ଶୁଣାଣିରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ତାରିଖରେ ସାନି ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଏଥିରେ ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ଷ୍ଟାଇପେଣ୍ଡ୍‌ ପାଇଁ ଆବେଦନପତ୍ରଗୁଡ଼ିକ ଉପରେ ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ ସହିତ ଏହାର ଲାଭ ଛାତ୍ରୀଛାତ୍ରଙ୍କୁ ମିଳିବା ନିମନ୍ତେ କ’ଣ ଆଦେଶ ରହିଛି, ୨୦୨୨ ଶିକ୍ଷାବର୍ଷରେ ଷ୍ଟାଇପେଣ୍ଡ୍‌ ପାଇଁ କେତେ ସଂଖ୍ୟକ ଏସ୍‌ସି ଓ ଏସ୍‌ଟି ଛାତ୍ରୀଛାତ୍ର ଆବେଦନ କରିଛନ୍ତି, ଆବେଦନଗୁଡ଼ିକ ଉପରେ କେତେ ସମୟ ମଧ୍ୟରେ କ’ଣ ନିଷ୍ପତ୍ତି ନିଆଯାଇଛି ତାହା ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।